ଭୁବନେଶ୍ବର: ସାମୁଦ୍ରିକ ଝଡ ‘ବୁଲବୁଲ’ରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ସାତ ଜଣିଆ କେନ୍ଦ୍ରୀୟ ଟିମ । ଏହି ଟିମ ବାତ୍ୟା ବୁଲବୁଲ ପ୍ରଭାବିତ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ଏହି ଟିମ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ବରେ ଆସିଥିବା ଏହି କେନ୍ଦ୍ରୀୟ ଦଳ 2 ଭାଗ ହୋଇ 4ଟି ଜିଲ୍ଲା ଗସ୍ତ କରିଛନ୍ତି । ଗ୍ରୁପ-କ ଚାନ୍ଦବାଲି, ଭଦ୍ରକ, ବାସୁଦେବପୁର ଓ ବାଲେଶ୍ବର ଜିଲ୍ଲାର ଭୋଗରାଇ ପରିଦର୍ଶନ କରିଥିବା ବେଳେ ଗ୍ରୁପ-ଖ କେନ୍ଦ୍ରାପଡାର ରାଜନଗର ଓ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି ।
![jagatsinghpur](https://etvbharatimages.akamaized.net/etvbharat/prod-images/5070505_od-jsp-kendriyacomeetvgt-rpt-susanta-od10021_15112019174901_1511f_1573820341_510.jpg)
ଅପରାହ୍ନରେ କେନ୍ଦ୍ରୀୟ ପ୍ରତିନିଧି ଦଳର 3ଜଣିଆ କମିଟି ଭୋଗରାଇ ବ୍ଳକର ବିଭିନ୍ନ ପଞ୍ଚାୟତର କ୍ଷୟକ୍ଷତି ବୁଲି ଦେଖିଛନ୍ତି। ଏହି ଅଞ୍ଚଳରେ ଚାଷରେ ବ୍ୟାପକ କ୍ଷତି ହୋଇଥିବା ବେଳେ କେନ୍ଦ୍ରୀୟ ଟିମ ଏହାର ତଦନ୍ତ କରିଛି । କ୍ଷୟକ୍ଷତି ସଂପର୍କରେ କେନ୍ଦ୍ରୀୟ ଟିମ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ଭୋଗରାଇ ତହସିଲଦାର, ବିଡ଼ିଓ, କୃଷି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
କେନ୍ଦ୍ରୀୟ ଟିମର ତିନିଜଣିଆ ସଦସ୍ୟ ରାଜନଗର ଅଞ୍ଚଳର ତାଳଚୁଆ, ରଙ୍ଗଣୀ, ଈଶ୍ୱରପୁର ଆଦି ସ୍ଥାନକୁ ଯାଇ ବୁଲବୁଲ କ୍ଷୟକ୍ଷତି ଆକଳନ କରିଛନ୍ତି । ଏହାସହ କେନ୍ଦ୍ରୀୟ ଟିମ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି, ଚାଷୀ, ଜନସାଧାରଣ ମାନଙ୍କ ସହିତ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେହିପରି ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲାରେ ବୁଲବୁଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କେନ୍ଦ୍ରୀୟ କମିଟି। ଜିଲ୍ଲାର ଏରସମା, ପାରାଦ୍ବୀପ, ପାରାଦୀପ ଗଡ, କୁଜଙ୍ଗ, ଗଡ କୁଜଙ୍ଗ ଆଦି ଅଞ୍ଚଳ ଗସ୍ତ କରି ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ହେଲେ ଅଧିକ ପ୍ରଭାବିତ ହୋଇଥିବା ଜପା ଓ ଗୋଡା ପଞ୍ଚାୟତକୁ କେନ୍ଦ୍ରୀୟ କମିଟି ପରିଦର୍ଶନ ନ କରିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ବରେ ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଯନ୍ତ୍ରୀ ବନ୍ଦନା ସିଙ୍ଘଲ, ଖର୍ଚ୍ଚ ବିଭାଗ ପରାମର୍ଶଦାତା ଦିନା ନାଥ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପସଚିବ ଏସଏସ ମୋଦୀ, ଓଡିଶାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗର ଅଧୀକ୍ଷଣ ଯନ୍ତ୍ରୀ ଅମରିଶ ପାଲ ସିଂହ, ପାଟନା ସ୍ଥିତ କୃଷି ବିଭାଗ ଡିଆରଡି ନିର୍ଦ୍ଦେଶକ ଡ.ବୀରେନ୍ଦ୍ର ସିଂହ, ସଡକ ପରିବହନ ମନ୍ତ୍ରଣାଳୟ ତଥା ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ସୁନିଲ ଆରୋରା ପ୍ରମୁଖ ଏହି ଟିମରେ ସାମିଲ ଅଛନ୍ତି ।
ସାମୁଦ୍ରିକ ଝଡ ‘ବୁଲବୁଲ’ପ୍ରଭାବରେ 5500 କ୍ୱିଣ୍ଟାଲ ଧାନ, 17 ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା, 653 ୱାଟର ସପ୍ଲାଏ ସିଷ୍ଟମ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷୟକ୍ଷତି ଆକଳନ କରି ଆସନ୍ତା 18 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ