ଭୁବନେଶ୍ବର: ମୋଦି ସରକାରଙ୍କର ଶ୍ରମିକ ବିରୋଧ, କୃଷକ ବିରୋଧ, ଜନ ବିରୋଧୀ କାର୍ଯ୍ୟକୁ ଏବେ ସାରା ଦେଶରେ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ବିରୋଧ କରାଯାଉଛି। ଏହି ଅବସରରେ ଓଡ଼ିଶାର ୬ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇ.ଏନ୍.ଟି.ୟୁ.ସି, ଏନ୍. ଏମ୍.ଏସ୍, ଏ.ଆଇ.ଟି.ୟୁ.ସି, ସି.ଆଇ.ଟି.ୟୁ, ଏ.ଆଇ.ୟୁ.ଟି.ୟୁ.ସି ଓ ଏ.ଆଇ.ସି.ସି.ଟି.ୟୁ. ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଆଜି(ବୁଧବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
୮ ଘଣ୍ଟା ରୁ ୧ ୨ ଘଣ୍ଟା କାର୍ଯ୍ୟ ଦିବସକୁ ବାତିଲ କରିବା, କର୍ପୋରେଟ ସପକ୍ଷବାଦି ଶ୍ରମକଙ୍କୁ ବାତିଲ କରିବା, କର୍ପୋରେଟ ସପକ୍ଷବାଦୀ କୃଷକ ବିରୋଧ କୃଷି ବିଲକୁ ପ୍ରତ୍ୟାହାର କରିବା, ଶ୍ରମିକ ଛଟେଇ, ଡି. ଏ. ବନ୍ଦ ଓ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଘରୋଇକରଣ ବନ୍ଦ କରିବା ଲାଗି ଦେଶବ୍ୟାପି ବିରୋଧ ଓ ପ୍ରତିବାଦ କରିବା ସହ ମୋଦି ସରକାରଙ୍କର ଏ ପ୍ରକାର ଦେଶ ବିରୋଧ କାର୍ଯ୍ୟକ୍ରମକୁ ଆଗାମୀ ଦିନର ପ୍ରବଳ ବିରୋଧ କରାଯିବ ବୋଲି ଶ୍ରମିକ ନେତାମାନେ ଚେତାଇ ଦେଇଛନ୍ତି । ଅସଙ୍ଗଠିତ ଶ୍ରମିକ, ପ୍ରବାସୀ ଶ୍ରମିକ, ମନେରେଗାରେ କାମ କରୁଥିବା ଶ୍ରମିକମାନଙ୍କୁ ସରକାର ରୋଜଗାର ଦେବା ସହ କରୋନାରେ ସଂକ୍ରମଣ ଯୋଗୁ ରୋଜଗାର ହରାଇଥିବା ଶ୍ରମିକମାନଙ୍କୁ ଦଶ ହଜାର ଟଙ୍କା ଦେବାକୁ ଦାବି ହୋଇଛି ।
ଏହି ବିକ୍ଷୋଭର ଆଇ.ଏନ୍.ଟି.ୟୁ.ସି.ର ସଭାପତି ଡକ୍ଟର ରାମଚନ୍ଦ୍ର ଖୁଟିଆ, ପୂର୍ବତନ ସାଂସଦ, ଏଚ୍.ଏମ୍.ଏସ୍.ର ଉପ ସାଧାରଣ ସଂପାଦକ ବିରେନ୍ଦ୍ର ଦାସ, ଏ.ଆଇ.ଟି.ୟୁ.ସିର ରାମକୃଷ୍ଣ ପଣ୍ଡା, ସି.ଆଇ.ଟି.ୟୁ.ର ଜନାର୍ଦ୍ଦନ ପତି, ଏ.ଆଇ.ୟୁ.ଟି.ୟୁ.ସିର ପୂର୍ଣ୍ଣଚନ୍ଦ୍ର ବେହେରା ଓ ଏ.ଆଇ.ସି.ସି.ଟି.ୟୁର ରାଜ୍ୟ ସାଧାରଣ ସଂପାଦକ ମହେନ୍ଦ୍ର ପରିଡ଼ା, ଆଇ.ଏନ୍.ଟି.ୟୁ.ସି.ର ଉପସଭାପତି ମଦନ ମୋହନ ଧଳ ଆଦି ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ