କେନ୍ଦ୍ର ସରକାରଙ୍କ କୋଭିଡ୍ ପ୍ୟାକେଜ, ରାଜ୍ୟକୁ ମିଳିଛି 22,267.66 କୋଟି - Odisha Covid package
କୋଭିଡ୍ ପାଇଁ କେନ୍ଦ୍ର ସରକାର ରାଜ୍ୟ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ଓଡିଶାକୁ ସମୁଦାୟ 22,267.66 କୋଟି ଟଙ୍କା ମିଳିଛି ।
ଭୁବନେଶ୍ବର: ଓଡିଶା ପାଇଁ କେନ୍ଦ୍ର ସରକାରଙ୍କ କୋଭିଡ୍ ପ୍ୟାକେଜ ଘୋଷଣା । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ସମୁଦାୟ 22,267.66କୋଟି ଟଙ୍କା ମିଳିଛି ।
ଏହି ପ୍ୟାକେଜ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଅତିରିକ୍ତ ପ୍ୟାକେଜ ସହାୟତା, ମନେରଗା ଓ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନା, ସ୍ଵାସ୍ଥ୍ୟ, କୃଷକ, ପ୍ରବାସୀ ଶ୍ରମିକ, ଆତ୍ମନିର୍ଭର ପ୍ୟାକେଜ ମଧ୍ୟ ସାମିଲ ଅଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୋଟ 7 ଲକ୍ଷ 51 ହଜାର 930 ଟନ ଚାଉଳ ଓଡିଶାକୁ ଦିଆଯାଇଛି । ସେହିପରି ରାଜ୍ୟର 92.85 ଲକ୍ଷ ହିତାଧିକାରୀଙ୍କୁ 44 ହଜାର 130 ଟନ ଡାଲି ଦିଆଯାଇଛି ।
ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ 1500 ଟଙ୍କା ଲେଖାଏଁ ବ୍ୟବସ୍ଥା ଥିବାବେଳେ ଓଡିଶା ପାଇଁ ମୋଟ 1258.02 କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ 202.30 କୋଟି ଦିଆଯାଇଛି । ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ 400.63 କୋଟି ଟଙ୍କା ପ୍ରଦାନ କରାଯାଇଛି ।
20.83 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଓ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡପିଛା 1500 ଟଙ୍କା ପାଇଁ ମୋଟ 312.49 କୋଟି ଟଙ୍କା ପ୍ରଦାନ କରାଯାଇଛି । ଉଜ୍ଜ୍ବଳା ଯୋଜନାରେ 68.79 ଏଲପିଜି ସିଲିଣ୍ଡର ଦିଆଯାଇଛି ।
ଓଡିଶାରେ 40,666 ଇପିଏଫଓ ହିତାଧିକାରୀ 87.71 କୋଟି ଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି । ଓଡିଶାର 1.62 ଲକ୍ଷ ହିତାଧିକାରୀଙ୍କ ପାଇଁ 24 ପ୍ରତିଶତ ଇପିଏଫ କେନ୍ଦ୍ରସରକାର ଦେଇଛନ୍ତି । ଏଥିପାଇଁ ଓଡିଶାକୁ 101.45 କୋଟି ଟଙ୍କା ଦିଆଯାଇଛି ବୋଲି ଜଣାପଡିଛି ।
ସେହିପରି 2019-20 ଆର୍ଥିକ ବର୍ଷ ପାଇଁ ଓଡିଶା ସରକାରଙ୍କୁ ଜିଏସଟି କ୍ଷତିପୂରଣ ବାବଦ 5 ହଜାର 122 କୋଟି ଟଙ୍କା ଦିଆଯାଇଛି। 2020-21 ପାଇଁ ଜିଏସଟି କ୍ଷତିପୂରଣ ବାବଦ 2 ହଜାର 258 କୋଟି ଟଙ୍କା ଆବଣ୍ଟନ କରାଯାଇଥିବାବେଳେ 1129 କୋଟି ଦିଆଯାଇଛି । ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦର 0.5 ପ୍ରତିଶତ ମୂଲ୍ୟ ସମାନ ଅତିରିକ୍ତ 2,858 କୋଟି ଋଣ ନେବା ପାଇଁ ଓଡିଶାକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି।
ଓଡିଶାକୁ ଆଶ୍ରୟ ସ୍ଥଳ ଓ 3 ଓଳା ଖାଇବା ପାଇଁ କେନ୍ଦ୍ର ସରକାର ଓସଡିଆରଏଫକୁ 2 ହଜାର 139 କୋଟି ଅଗ୍ରୀମ ରାଶି ଜାରି କରାଯାଇଛି । ସେଥିମଧ୍ୟରୁ ପ୍ରଥମ କିସ୍ତିରେ 802 କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି ।
ଓଡିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ 271.75 କୋଟି ଟଙ୍କା ଦିଆଯାଇଛି । ଡିଏମଏଫ ପାଣ୍ଠିରୁ 2 ହାଜର 12 କୋଟି ମଞ୍ଜୁର ଦିଆଯାଇଥିବାବେଳେ 64.5 କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି । ଏନଡିଆରଏଫ ପାଣ୍ଠିରୁ 179.64 କୋଟି ଜାରି କରାଯାଇଛି । ଅମ୍ପନ ବାତ୍ୟା ପାଇଁ 500 କୋଟି । ଲକଡାଉନ ସମୟରେ ବିଜୁଳି କିଣିବା ପାଇଁ 84.93 କୋଟିର ରିହାତି ପ୍ରଦାନ କରାଯାଇଛି ।
ଜଳ ଜୀବନ ମିଶନ ଅଧିନରେ ଓଡିଶା ପାଇଁ 812 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅଧିନରେ ଓଡିଶାକୁ 8.2 କୋଟି ମଞ୍ଜୁର କରାଯାଇଛି । କୋଭିଡ୍ ପରିଚାଳନା ପାଇଁ ଓଡିଶାକୁ 102 କୋଟି ଦିଆଯାଇଛି । କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଅଧିନରେ ନାବାର୍ଡ ଦ୍ବାରା ଓଡିଶଆରେ 28.13 କୋଟି ମୂଲ୍ୟର 103ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଥିବା ଜଣାପଡିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ