ଭୁବନେଶ୍ବର: ପୁଣି ଥରେ ଜାଲେଣି ଗ୍ୟାସ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ଏନେଇ ପୂର୍ବରୁ ଦଳ ଘୋଷଣା କରିଥିଲେ ମଧ୍ୟ 10 ଦିନ କେନ୍ଦ୍ର ସରକାରଙ୍କୁ ମହଲତ ଦେଇଥିଲା । ତେବେ କେନ୍ଦ୍ର ସରକାର ଗ୍ୟାସ ଦର ହ୍ରାସ କରି ନଥିବାରୁ ଘୋଷଣା ମୁତାବକ ଆନ୍ଦୋଳନ କରିବ ବିଜେଡି ।
ଆଜି(ବୁଧବାର) ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗ୍ୟାସ ଦର ବୃଦ୍ଧି ନେଇ ରାଜ୍ୟର ମା ଭଉଣୀ ମାନେ ପ୍ରଭାବିତ ହୋଇଛନ୍ତି । ତାଙ୍କର ଖର୍ଚ୍ଚ ବଢିଛି । ଯେଉଁ ସରକାର ଉଜ୍ବଳା ଯୋଜନା କରି ମା ଉଭଣୀଙ୍କୁ ଗ୍ୟାସ ଦେଇ ତାଙ୍କର ଆଚ୍ଛା ଦିନ ଆଣିବାକୁ କହିଥିଲା ଏବେ ସେହି ସରକାର ଦୁର୍ଦ୍ଦିନ ଆଣିଛି । ଗ୍ୟାସ ଦର ଗତ 3 ବର୍ଷରେ ଅହେତୁକ ଭାବେ ବୃଦ୍ଧି ପାଇଛି । ପ୍ରମିଳା କହିଛନ୍ତି ବିଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦% ବୃଦ୍ଧି ପାଇଛି । ବର୍ଷ ୨୦୧୬-୧୭ ରେ ୧୪ କିଲୋ ସିଲିଣ୍ଡରର ଦାମ ୫୪୯ ଟଙ୍କା ଥିବା ବେଳେ ଏବେ ଏହା ୯୨୬ ଟଙ୍କାରେ ପହଁଛି ।
ତେଣୁ ରାଜ୍ୟର ମା ଉଭଣୀଙ୍କ ସ୍ବାର୍ଥ ପାଇଁ ବିଜୁ ଜନତା ଦଳ ଆନ୍ଦୋଳନ କୁ ଓହ୍ଲାଇବ । ତେବେ ଆନ୍ଦୋଳନ ଆରଡିସି ସ୍ତରୀୟ ହେବ । ତଥା ରାଜ୍ୟର 3 ଟି ଆରଡିସି ମୁଖ୍ୟାଳୟ ସମ୍ମୁଖରେ ଓ ଏହାର ଅଧିନସ୍ଥ ସମସ୍ତ ବ୍ଲକ ସମ୍ମୁଖରେ ହେବ । ଆନ୍ଦୋଳନ ପ୍ରଥମେ ୨୨ ନଭେମ୍ବରରେ କଟକ ଆରଡିସି ମୁଖ୍ୟାଳୟ ସମ୍ମୁଖରେ ହେବ । ସେହିପରି ୨୩ ନଭେମ୍ବର ରେ ସମ୍ବଲପୁର ଆରଡିସି ମୁଖ୍ୟାଳୟ ସମ୍ମୁଖରେ ଓ ଶେଷରେ ୨୪ ନଭେମ୍ବରରେ ବ୍ରହ୍ମପୁର ଆରଡିସି ମୁଖ୍ୟାଳୟ ସମ୍ମୁଖରେ ହେବ ବୋଲି ପ୍ରମିଳା କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ