ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଅପେକ୍ଷା ବଢାଉଛି ରୋଗୀଙ୍କ ଯନ୍ତ୍ରଣା । ହସ୍ପିଟାଲରେ ପଞ୍ଜିକରଣ କେନ୍ଦ୍ରର ଅଭାବ ରହିଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଜରୁରୀକାଳୀନ ପଞ୍ଜିକରଣ କେନ୍ଦ୍ର ବୃଦ୍ଧି କରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।
ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା । ସମୟ ଗଡି ଚାଲୁଥିବା ବେଳେ ରୋଗୀଙ୍କୁ ହେବାକୁ ପଡୁଛି ହୀନସ୍ତା। ଓପିଡି ପାଇଁ କାଉଣ୍ଟର ବା ପଞ୍ଜୀକରଣ କେନ୍ଦ୍ରର ଅଭାବ ରୋଗୀ ସମସ୍ୟାକୁ ଦ୍ଵିଗୁଣିତ କରିଛି । ବିଭିନ୍ନ ବିଭାଗ ପାଇଁ ମୋଟ ୯ଟି ପଞ୍ଜୀକରଣ କେନ୍ଦ୍ର ଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ହସ୍ପିଟାଲକୁ ଆସୁଥିବା ରୋଗୀ ମାନେ ଅଭିଯୋଗ କରିଛନ୍ତି ।
କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ପ୍ରାୟ ୪ ହଜାରରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଓପିଡି ଚିକିତ୍ସା ପାଇଁ ମୋଟ ୫ଟି ପଞ୍ଜୀକରଣ କେନ୍ଦ୍ର ରହିଛି । ସେହିପରି ଭିଡ କମ କରିବା ଲାଗି ହୃଦରୋଗ, ଚକ୍ଷୁ, ଶିଶୁ, ମହିଳା ଓ ପ୍ରସୂତି ବିଭାଗରେ ୪ଟି ପଞ୍ଜୀକରଣ କେନ୍ଦ୍ର ରହିଛି । ଯାହା କେବଳ ସକାଳ ସମୟ ହିଁ ଖୋଲା ରହୁଛି ।
ଏହା ମଧ୍ୟ ପଢନ୍ତୁ: Dhamnagar ByPoll: ବିଜେଡି ପ୍ରାର୍ଥିକୁ ନେଇ ଜୟ ନାରାୟଣଙ୍କ ମନ୍ତବ୍ୟ
ଏହାଦ୍ୱାରା ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିବା ବେଳେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଆଗକୁ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ରାଜ୍ୟର ଅଧିକାଂଶ ସରକାରୀ ମେଡିକାଲରେ ରୋଗୀ ଭିଡ କମାଇବା ଲାଗି ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି । ହେଲେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ କେବେ ପଞ୍ଜୀକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ସହିତ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଯିବ ତାକୁ ଅପେକ୍ଷା ରହିଛି ।
ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ,"ପୂର୍ବ ଅପେକ୍ଷା କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆମେ ପଞ୍ଜିକରଣ ପାଇଁ ଅଧିକ କାଉଣ୍ଟର ଖୋଲିଥିଲେ ସୁଦ୍ଧା ଆହୁରି ଭିଡ ରହୁଛି । ଜରୁରୀସେବା ପାଇଁ ଏକ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି । ଲୋକମାନଙ୍କୁ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଆଉ ଅନଲାଇନ ପଞ୍ଜିକରଣ କଥା କହିବାକୁ ଗଲେ ପ୍ରଥମଥର କରି କଟକ ଏସସିବି ହସ୍ପିଟାଲରେ କରାଯାଇଛି । ଆମର ହସ୍ପିଟାଲରେ ଏହିଭଳି ବ୍ୟବସ୍ଥା କରିବା ପାଇଁ ଯୋଜନା କରାଯାଉଛି । ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।’’
ଇଟିଭି ଭାରତ, ଭୁବନେଶ୍ବର