ଭୁବନେଶ୍ବର: ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଓ ସଂଗଠନ ପୁନଃବିନ୍ୟାସ ନେଇ ବିଜେଡି ରାଜନୀତି ଜୋର ଧରିଛି । 2024 ନିର୍ବାଚନ ପୂର୍ବରୁ ଦଳ ଓ ସରକାର ମଧ୍ୟରେ ସମନ୍ଵୟ ରକ୍ଷା କରିବା ଲାଗି ବିଜେଡି ହାଇକମାଣ୍ଡ ପ୍ରସ୍ତୁତ କରୁଛନ୍ତି ବ୍ଲ୍ୟୁ ପ୍ରିଣ୍ଟ । ଏହି କ୍ରମରେ ମନ୍ତ୍ରୀ ମଣ୍ଡଳ ଓ ସଂଗଠନରେ ଅଦଳବଦଳ କରିବ ବିଜେଡି ।
ଆସନ୍ତା କିଛିଦିନ ମଧ୍ୟରେ ରାଜ୍ୟମନ୍ତ୍ରୀ ମଣ୍ଡଳର ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା କିଛିଦିନ ମଧ୍ୟରେ ଚୂଡାନ୍ତ ରୂପରେଖ ସମ୍ନାକୁ ଆସିବ । ବିବାଦୀୟ ଓ ନିଷ୍କ୍ରିୟ ଥିବା 10 ଜଣ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ଏହା ସହ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ନେତା ଓ ଯୁବ ଚେହେରାଙ୍କୁ ଗୁରୁତ୍ବ ମିଳିବ ବୋଲି ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀ ମାନଙ୍କ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।
ମନ୍ତ୍ରୀଙ୍କ ପ୍ରଦର୍ଶନ ନେଇ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ । କିଏ ହେବେ ପାସ, ଆଉ କିଏ ଫେଲ । ସେ ନେଇ ମନ୍ତ୍ରୀଙ୍କ ଛାତି ଧଡ ଧଡ ହେବାରେ ଲାଗିଛି । କାହାକୁ ମିଳିବ ମନ୍ତ୍ରୀ ପଦ ଆଉ କିଏ ହରେଇବେ ଗୁରୁତ୍ବ ? ସେ ନେଇ ମେ ମାସ ପ୍ରଥମ ସପ୍ତାହରେ ଚିତ୍ର ସ୍ପଷ୍ଟ ହେବ ।
ସେପଟେ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ବିଜୁ ଜନତା ଦଳ ଏକ ଆଞ୍ଚଳିକ ଦଳ, ତାହାର ସାଂଗଠନିକ କାର୍ଯ୍ୟକ୍ରମ ନିରନ୍ତର ଭାବେ କରିଥାଏ । ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଲାଗି ଦଳ ଅନବରତ ପ୍ରୟାସ କରିଛି । ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା ଲାଗି କର୍ମୀଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ନିର୍ଦ୍ଦେଶ ରହିଥାଏ ।
ଦଳର କର୍ମୀ ମାନେ ଅନବରତ ଭାବେ ଏହି କାର୍ଯ୍ୟରେ ଲାଗିଥାନ୍ତି । ସାଂଗଠନିକ ସ୍ତରରେ ଅଦଳବଦଳ ବିଜେଡିର ଏକ ନିରନ୍ତର ପ୍ରକ୍ରିୟା । ବିଜୁ ଜନତା ଦଳ ଏକ ବଡ ଆଞ୍ଚଳିକ ଦଳ, ତେଣୁ ଦଳ ବାରମ୍ବାର ସାଙ୍ଗଠନିକ ଅଦଳବଦଳ କରିଥାଏ । ଯେଉଁମାନେ କାମିକା କର୍ମୀ ତାଙ୍କୁ ବିଭିନ୍ନ ଦାଇତ୍ବ ଦଳ ଦିଏ । ଫଳରେ ଦଳରେ ସଂଗଠନର ଶକ୍ତି ବୃଦ୍ଧି ପାଇଥାଏ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ