ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ (Odisha State Wide Area Network -OSWAN ) ପ୍ରକଳ୍ପର ଅପ-ଗ୍ରେଡେସନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ଅପ-ଗ୍ରେଡେସନ ପାଇଁ ଖର୍ଚ୍ଚ ହେବ ୩୩୨.୦୯ କୋଟି ଟଙ୍କା ।
ରାଜ୍ୟକୁ ଏକ ମୌଳିକ ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତି ଯୋଗାଇବା ପାଇଁ ଓଡିଶା ଷ୍ଟେଟ୍ ୱାଇଡ ଏରିଆ ନେଟୱାର୍କ ( OSWAN ) ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ । ଯାହା ତଥ୍ୟ, ଭିଡିଓ ଏବଂ ଭଏସ୍ ଟ୍ରାଫିକର ପରିବହନ ପାଇଁ ବ୍ୟବହାର କରାଯାଇଥାଏ । ରାଜ୍ୟ ମଧ୍ୟରେ ଆନ୍ତଃ-ଅନ୍ତଃ ବିଭାଗୀୟ ( inter / intra department ) ଯୋଗାଯୋଗ ତଥା ତଥ୍ୟ ବଣ୍ଟନ ସହଜ ହୋଇଥାଏ । OSWANର ଅପ-ଗ୍ରେଡେସନ୍ ପାଇଁ ପୁରୁଣା ଉପକରଣ ବଦଳାଇବା ଆବଶ୍ୟକ ରହିଥିଲା । ବର୍ତ୍ତମାନ କାମ କରୁଥିବା OSWANର ଅପ-ଗ୍ରେଡେସନ୍ ଡାଟା, ଭଏସ୍ ଏବଂ ଭିଡିଓ ଟ୍ରାନ୍ସମିସନର ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଯୋଗାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
ଏହି ଅପ-ଗ୍ରେଡେସନରେ ରାଜ୍ୟ ହେଡକ୍ବାଟର୍ସର, 30 ଜିଲ୍ଲା ହେଡକ୍ବାଟର୍ସର ଏବଂ 314 ବ୍ଲକ ହେଡକ୍ବାଟର୍ସର ବ୍ୟାଣ୍ଡୱିଡ ବୃଦ୍ଧି ପାଇବ । ଏହାସହ ଲୋଡ୍ ବଣ୍ଟନ ଏବଂ ସଂଯୋଗର ଉଚ୍ଚ ଉପଲବ୍ଧତା ପାଇଁ ସେକେଣ୍ଡାରୀ ବ୍ୟାଣ୍ଡୱିଡ ଯୋଗାଇବାର ଯୋଜନା ରହିଛି । OSWAN ଅପ-ଗ୍ରେଡେସନରେ ଉନ୍ନତି ନିର୍ଭରଯୋଗ୍ୟତା ( better reliability ) ଏବଂ ସୁରକ୍ଷିତ ସଂଯୋଗ ପାଇଁ ଏଥିରେ MPLS ( ମଲ୍ଟି - ପ୍ରୋଟୋକଲ୍ ଲେବଲ୍ ସୁଇଚ୍) ଟେକ୍ନୋଲୋଜିର ବ୍ୟବହାର ପାଇଁ ଯୋଜନା କରାଯାଇଛି । OSWANର ଅପ୍-ଗ୍ରେଡେସନ୍ ସହିତ ପାଞ୍ଚ ବର୍ଷ ପାଇଁ ଏହାର ଅପରେସନ ଏବଂ ରକ୍ଷଣାବେକ୍ଷଣ ଲାଗି ଆନୁମାନିକ ୩୩୨.୦୯ କୋଟି ଟଙ୍କା ଖର୍ଚ୍ଚ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ