ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗରେ ଥିବା ସ୍ବତନ୍ତ୍ର କ୍ୟାବିନର ବଢିଲା ମୂଲ୍ୟ । ମଙ୍ଗଳବାରଠାରୁ ଏହା ଲାଗୁ କରାଯିବ । କ୍ୟାବିନ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ସେଥିଲାଗି ତିନି ପ୍ରକାରର ଥିବା କ୍ୟାବିନର ମୂଲ୍ୟରେ ପରିବର୍ତ୍ତନ କରାଯାଇଛି।
ଉନ୍ନତ ମାନର ରୋଗୀ ସେବା ଯୋଗାଇ ଦେବା ପାଇଁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ବିଭିନ୍ନ କ୍ୟାବିନର ମୂଲ୍ୟକୁ ବଢ଼ାଇଛନ୍ତି । ରୋଗୀମାନେ ଭଲ ସୁବିଧା ସୁଯୋଗ ପାଇବା ସହ ସୁରକ୍ଷିତ ରହିପାରିବେ । ପୂର୍ବରୁ ରହିଥିବା ମୂଲ୍ୟ ଅନୁଯାଇ ୩୦୦ ଟଙ୍କା ଅଧିକ ବଢ଼ାଇ ଦିଆଯାଇଛି । ନର୍ସିଂ ହୋମର ମୂଲ୍ୟ ୭୦୦ ଟଙ୍କା ରହିଥିବା ବେଳେ ଏହାକୁ ୩୦୦ ଟଙ୍କା ବଢ଼ାଇ ୧୦୦୦ ଟଙ୍କା କରାଯାଇଛି । ସେହିପରି ସ୍ବତନ୍ତ୍ର କ୍ୟାବିନର ମୂଲ୍ୟ ୪୫୦ ଟଙ୍କା ରହିଥିବା ବେଳେ ଏହାକୁ ୭୦୦ ଟଙ୍କା କରାଯାଇଛି । ସାଧାରଣ କ୍ୟାବିନ ୩୫୦ ଟଙ୍କା ରହିଥିବା ବେଳେ ଏବେ ଏହାକୁ ୫୦୦ ଟଙ୍କା କରାଯାଇଛି।
ରୋଗୀଙ୍କୁ ସୁରକ୍ଷା ଓ ପରିଷ୍କାର ପରିଛନ୍ନ ରଖିବା ପାଇଁ ସ୍ବତନ୍ତ୍ର କ୍ୟାବିନ କରାଯାଇଛି । ତେବେ ଏହି କ୍ୟାବିନ ଗୁଡିକରେ କୌଣସି ଅସୁବିଧା ହେବନାହିଁ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଅଶୋକ ପଟ୍ଟନାୟକ । ନର୍ସିଂ ହୋମରେ ଶୀତ ତାପ ନିୟନ୍ତ୍ରଣର ବ୍ୟବସ୍ଥା ରହିଛି । ଏହି ରୁମରେ କେବଳ ଜଣେ ରୋଗୀ ରହିବାର ବ୍ୟବସ୍ଥା କରାଯାଇଛି । ସେହିପରି ସ୍ବତନ୍ତ୍ର କ୍ୟାବିନରେ ଶୀତତାପ ନିୟନ୍ତ୍ରଣ ରୁମ ରହିଛି । ଏଥିରେ ଦୁଇ ଜଣ ରୋଗୀ ରହିବାର ବ୍ୟବସ୍ଥା କରାଯାଇଛି । ସାଧାରଣ କ୍ୟାବିନରେ ଶୀତ ତାପ ନିୟନ୍ତ୍ରଣ ନଥିବା ବେଳେ ଏହି କ୍ୟାବିନରେ 5 ଜଣ ରହିପାରିବେ । ଏପରି କ୍ୟାପିଟାଲ ହସ୍ପିଟାଲରେ ୩୦ରୁ ଊର୍ଦ୍ଧ୍ବ ତିନି ପ୍ରକାରର କ୍ୟାବିନ ଉପଲବ୍ଧ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ