ଭୁବନେଶ୍ବର: ହୁସିଆର ସହରରେ ଆକ୍ଟିଭ ଅପହରଣକାରୀ ଗ୍ୟାଙ୍ଗ୍। ଏମାନଙ୍କ ଟାର୍ଗେଟରେ ବଡବଡ ବ୍ୟବସାୟୀ ପରିବାର। ମାରଣାସ୍ତ୍ର ଦେଖାଇ ବାଟରୁ ଅପହରଣ କରୁଛନ୍ତି। ଅପହରଣ ପରେ ମୁଣ୍ଡ ଜାମିନ ରଖି ଟଙ୍କା ଡିମାଣ୍ଡ କରୁଛନ୍ତି। ଏମିତି ଢଙ୍ଗରେ ଭୁବନେଶ୍ବରରେ ଜଣେ ଛାତ୍ରକୁ ଅପହରଣ ପରେ ସାମ୍ନାକୁ ଆସିଛି ଏପରି ଛାତିଥରା ଘଟଣା।
ରାଜଧାନୀରେ ଅପହରଣକରୀ ବ୍ୟବସାୟୀକୁ ଟଙ୍କା ଡିମାଣ୍ଡ କରାଯାଉଥିଲା। ଏହି ଘଟଣାରେ ଟଙ୍କା ନେବାକୁ ଯାଇ ପୋଲିସ ହାତରେ ଧରାପଡିଛନ୍ତି ୪ ଜଣିଆ ଅପହରଣକାରୀ ଗ୍ୟାଙ୍ଗ। ହେଲେ ଏହି ଗ୍ୟାଙ୍ଗର ଅନ୍ୟ ସଦସ଼୍ୟ ଏବେବି ଫେରାର ଥିବାବେଳେ ପୋଲିସ ଜାଣିବାକୁ ପାଇଛି କିଭଳି ଏମାନେ ଚଲାଇଥିଲେ ଏହି ଗ୍ୟାଙ୍ଗ ଆଉ କିପରି ରଚୁଥିଲେ ଅପହରଣ।
କେମିତି ଥିଲା ଅପହରଣ ?
ସୂଚନା ଅନୁଯାୟୀ ଗତ ସୋମବାର ଦିନ ଦିପହରରେ ଲକ୍ଷ୍ମୀସାଗର ବାଲାଜି ଆପାର୍ଟମେଣ୍ଟ ନିକଟରୁ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିଥିଲେ ଏହି ଗ୍ୟାଙ୍ଗ। ଭୁବନେଶ୍ବରରୁ ମାରଣାସ୍ତ୍ର ଦେଖାଇ ଏକ ଡିଜାୟର କାର ଯୋଗେ ଅପହରଣ କରି ନେଇଥିଲେ। ନମ୍ବର ବଦଳାଇ ପ୍ରଥମେ ଖୋର୍ଦ୍ଧା ପରେ ବ୍ରହ୍ମପୁର ଓ ନୟାଗଡ ଆଦି ଜିଲ୍ଲା କାର ଯୋଗେ ବୁଲିଥିଲେ। ଗିରଫ ୪ ଅଭିଯୁକ୍ତ ଅପହୃତାକୁ ଧରି ବିଭିନ୍ନ ସ୍ଥାନ ବୁଲିଥିଲେ । ଅପହରଣକାରୀ ଗ୍ୟାଙ୍ଗର ଆଉ ଦୁଇଟି ଟିମ ଭିନ୍ନ ଭିନ୍ନ ସ୍ଥାନରୁ ଥାଇ ଯୋଗାଯୋଗ କରୁଥିଲେ। ଅପହୃତ ମୋବାଇଲ ଜଣଙ୍କ ପାଖରେ ଥିଲା।
ଅପହୃତ ଓ ୪ ଅପହରଣକାରୀ ଆଉ ଗୋଟିଏ ସ୍ଥାନରେ ରହୁଥିଲେ। ଆଉ ଏହାର ମାଷ୍ଟର ମାଇଣ୍ଡ ଆଉ ଏକ ସ୍ଥାନରେ ଥାଇ ପରିବାର ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଏନେଇ କମିସନରେଟ ପୋଲିସର ଏକ ୭ ଜଣିଆ ଟିମ ବାହାରି ବିଭିନ୍ନ ଦିଗକୁ ତଦନ୍ତ କରିଥିଲେ। ଦୀର୍ଘ ୩୬ ଘଣ୍ଟା ଧରି ୭୦୦ କିମି ପୋଲିସକୁ ଚକମା ଦେଇ ପରିବାର ଲୋକକୁ ଦୌଡାଇଥିଲେ।
ଆଉ ଶେଷରେ ଟଙ୍କା ଦେବା ଆଳରେ ନୟାଗଡ ସୁନାଖଳା ପାଖରୁ ଅପହୃତକୁ ଧରିବା ସହ ପୋଲିସର ଟିମ ବରଯାତ୍ରୀ ବାହାନାରେ ବୁଲିବା ଆଳରେ ଗାଡିକୁ ଅଟକାଇଥିଲେ। ତେବେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବ୍ରହ୍ମପୁରର ରାମକୃଷ୍ଣ ,ସମ୍ବଲପୁରର ସନ୍ତୋଷ ରାଉତ, ନୟାଗଡର ଧନେଶ୍ଵର ପାତ୍ର, ଖଣ୍ଡଗିରିର ମୁସ୍ତାକ ଅଲ୍ଲି । ହେଲେ ଏମାନଙ୍କର ଆଉ ଦୁଇଟି ଟିମ ଧରାପଡିନଥିବା ବେଳେ ଗ୍ୟାଙ୍ଗରେ ବିଭିନ୍ନ ଜିଲ୍ଲାର ପିଲା ସାମିଲ ଥିବା ଜଣାପଡିଛି ।
ସେହିପରି ଚଳିତ ଜାନୁଆରୀ ମାସରେ ବ୍ରହ୍ମପୁରରେ ସମାନ ଢଙ୍ଗରେ ଏକ ଅପହରଣ କରିଥିଲେ। ତେବେ ଏଇଭଳି ଭାବେ ସହରର ବୁଲି ବୁଲି ବ୍ୟବସାୟୀଙ୍କ ପରିବାର ଦେଖି ଏପରି ଟାର୍ଗେଟ କରୁଛନ୍ତି। ଏବେବି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଧରାପଡି ନଥିବା ବେଳେ ସହରର ଅନ୍ୟ ବ୍ୟବସାୟୀଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି ହୋଇଛି। ନଚେତ ଆପଣ ବି ଏହି ଗ୍ୟାଙ୍ଗର ପରବର୍ତ୍ତୀ ଶିକାର ହୋଇପାରନ୍ତି। ତେବେ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ସୂଚନା ମିଳିପାରିନଥିବା ବେଳେ ତଦନ୍ତ ପରେ ରିମାଣ୍ଡରେ ନେଲେ ଅନ୍ୟ ଅପରାଧ ସମ୍ପର୍କରେ ସୁରାକ ମିଳିବ ବୋଲି ପୋଲିସ କହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ