ଭୁବନେଶ୍ୱର: ଘନ କୁହୁଡି ବଳୟରେ ରାଜଧାନୀ ଭୁବନେଶ୍ୱର । କୁହୁଡି ବର୍ଷା ସହ ରାତିର ଭ୍ରମ ସୃଷ୍ଟି କଲା ପୁରା ପରିବେଶ । ଅନ୍ୟପଟେ କୁହୁଡି ପାଇଁ ସାଧାରଣ ଲୋକମାନଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
କୁହୁଡି ଆସ୍ତରଣରେ ଲୁଚିଲା ରାଜଧାନୀ:
ଗତ 3ଦିନ ହେଲା ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ମାତ୍ରାରେ କୁହୁଡି ଦେଖିବାକୁ ମିଳୁଛି । ଆଜି(ଶନିବାର) ସକାଳ ସମୟରେ ରାଜଧାନୀରେ ପ୍ରବଳ କୁହୁଡି ପଡିଥିଲା । କୁହୁଡି ବଳୟ ମଧ୍ୟରେ ସତେ ଯେପରି ଭୁବନେଶ୍ୱର ଲୁଚି ଯାଇଥିଲା ।
ଦୃଶ୍ୟମାନ ଦୂରତା ୫୦ମିଟର:

କୁହୁଡି ମଧ୍ୟରେ ଯାତାୟାତ କରିବା ବେଶ କଷ୍ଟସାଧ୍ୟ ହୋଇପଡିଥିଲା । କୁହୁଡି ମଧ୍ୟରେ ଦୃଶ୍ୟମାନ ଦୂରତା ୫୦ମିଟରରୁ କମ ରହିଥିଲା । ଗାଡି ମଟର ଗୁଡିକ ଅତି ସତର୍କତାର ସହ ଲାଇଟ ଜଳାଇ ଯାତାୟତ କରିଥିଲେ । ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନେ ମଧ୍ୟ ହଇରାଣ ହୋଇଥିଲେ । ପାଖାପାଖି ସକାଳ 8ଟା ପର୍ଯ୍ୟନ୍ତ ଏଭଳି ଘନ କୁହୁଡି ଲାଗି ରହିଥିଲା ।
ସକାଳ ୮ଟା ପର୍ଯ୍ୟନ୍ତ ହନ୍ତସନ୍ତ ରାଜଧାନୀବାସୀ:
ଏନେଇ ଜଣେ ମହିଳା ରାଜଧାନୀ ବାସିନ୍ଦା କହିଛନ୍ତି," ସକାଳ ୯ଟା ପର୍ଯ୍ୟନ୍ତ ମଧ୍ୟ କୁହୁଡି ଲାଗି ରହିଛି । ଯିବା ଆସିବାରେ ଅସୁବିଧା ହେଉଛି । ତେବେ ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ହଇରାଣ ହେଉଛନ୍ତି । କୁହୁଡି ମଧ୍ୟରେ ଅନ୍ଧକାରରେ ସ୍କୁଲକୁ ପିଲାମାନଙ୍କୁ ଛାଡିବାକୁ ଭୟ ଲାଗୁଛି । ତେବେ ସତର୍କତାର ସହ ଯିବାଆସିବା କରିବାକୁ ପଡିବ ।"

କୁହୁଡି ନେଇ ଆଲର୍ଟ:

ଅନ୍ୟପଟେ କୁହୁଡିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୭ ତାରିଖ ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ଓ ମୟୂରଭଞ୍ଜ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଅନୁଗୋଳ ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଉ ମଧ୍ୟ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ... ୩ ଦିନ ଘନ କୁହୁଡ଼ି: ଦେଖାଯିବନି ରାସ୍ତାଘାଟ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ |
ଇଟିଭି ଭାରତ, ଭୁବନେଶ୍ୱର