ଭୁବନେଶ୍ବର: ନିର୍ମାଣ ଶ୍ରମିକଙ୍କ ସମସ୍ୟାକୁ ନେଇ ଆଇଏନଟିୟୁସି ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ । ରାଜ୍ୟରେ ଥିବା 50 ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଆସନ୍ତା ଫେବୁୟାରୀ ସୁଦ୍ଧା ନ ହେଲେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ଆସନ୍ତା 2ରେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀ କୋରୋନା ପାଇଁ କୋଟି କୋଟି ଶ୍ରମିକ ରୋଜଗାର ହରାଇଛନ୍ତି । ବର୍ଷ ବର୍ଷ ଧରି ନିର୍ମାଣ ଶ୍ରମିକ ମାନେ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଜିକରଣ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ବିଭିନ୍ନ ଆଲ ଦେଖାଇ ପଞ୍ଜିକରଣ କରାଯାଉ ନାହିଁ।
କୋଭିଡ ପାଇଁ ପଞ୍ଜିକୃତ ଶ୍ରମିକ 1500 ଟଙ୍କା ପାଇବା ପାଇଁ ଘୋଷଣା କରାଯାଇଥିଲା । ହେଲେ 29 ଲକ୍ଷ ଶ୍ରମିକ ମଧ୍ୟରୁ ନବୀକରଣ ହୋଇନଥିବା ଦର୍ଶାଇ 7 ଲକ୍ଷ ଶ୍ରମିକଙ୍କୁ ବାଦ ଦିଆଯାଇଛି । ସେହି 22 ଲକ୍ଷ ଶ୍ରମିକ ମଧ୍ୟରୁ ଅଦ୍ୟବାଦୀ 5 ଲକ୍ଷ ଶ୍ରମିକ 1500 ଟଙ୍କା ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ସମସ୍ତ ଶ୍ରମିକଙ୍କୁ 1500 ଟଙ୍କା ଯୋଗାଇବା ସହ ଅନ୍ୟ ରାଜ୍ୟ ତୁଳନାରେ ଶ୍ରମିକ ମାନଙ୍କୁ 6000 ଟଙ୍କା ସହାୟତା ସରକାର ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି । ଯଦି ଏସମସ୍ତ 11 ଦଫା ଦାବିକୁ ସରକାର ପୁରଣ ନ କରନ୍ତି । ତେବେ ଆସନ୍ତା ମାସରେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି ବିଶ୍ବକର୍ମା ନିର୍ମାଣ ଏବଂ ଉଡ଼ ଓ୍ବର୍କରସ ନିର୍ମାଣ ୟୁନିୟନ ସଂଘ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ