ଭୁବନେଶ୍ବର: କର୍କଟ ରୋଗ ସମାଜ ପାଇଁ ଏକ ବଡ଼ ବିପଦ ହୋଇ ଉଭା ହୋଇଛି। ସେଥିମଧ୍ୟରୁ ସ୍ତନ କର୍କଟ ଅନ୍ୟତମ। ସାରା ଭାରତରେ ମହିଳାଙ୍କ ନିକଟରେ ଦେଖା ଯାଉଥିବା କର୍କଟ ରୋଗ ମଧ୍ୟରୁ ସ୍ତନ କର୍କଟ ଏକ ନମ୍ବର ସ୍ଥାନ ଗ୍ରହଣ କରିଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ ବିଷୟ ଅଟେ।
ରାଜ୍ୟରେ ଏହି ଦୂରାରୋଗ୍ୟର ନିରାକରଣ ଓ ପ୍ରତିରୋଧ ପାଇଁ ଆଜି ଏକ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି। CII ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ,ସ୍ବାସ୍ଥ୍ୟ ସେବା ଯୋଗାଉଥିବା ବିଭିନ୍ନ ଅନୁଷ୍ଠାନ ଓ ଏ ଦିଗରେ ନିୟମ ପ୍ରଣୟନ କରୁଥିବା ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଦେଶରେ ତଥା ରାଜ୍ୟରେ ଏହି ରୋଗ ବଢିବାର କାରଣ,ଏହାର ନିଦାନ ଏବଂ କଣ କଲେ ଏଦିଗରେ ସଫଳତା ହାସଲ କରିହେବ ସେନେଇ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଯୋଗଦେଇ କହିଛନ୍ତି ଯେ, ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ସର୍ବଦା ଗୁତୁତ୍ବ ଦେଇଆସୁଛନ୍ତି। ଏଥିପାଇଁ ଉନ୍ନତ ଯନ୍ତ୍ରପାତି ଠାରୁ ଆରମ୍ଭ କରି ଡାକ୍ତରଙ୍କ ସୁବିଧା ପ୍ରଦାନ କରାଯାଉଥିବା ଶ୍ରୀ ଦାସ କହିଛନ୍ତି।
ଆଜର ଦିନରେ କର୍କଟ ରୋଗ ପୃଥିବୀରେ ଆଉ ଭାରତରେ ମଣିଷର ସବୁଠାରୁ ବଡ଼ ଶତ୍ରୁ ପାଲଟିଛି। ଏହା ଥରେ ମଣିଷକୁ ଆକ୍ରାନ୍ତ କଲେ ଏଥିରୁ ମୁକୁଳିବା ସହଜ ନୁହେଁ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଆମକୁ ଯଥେଷ୍ଟ ଯତ୍ନବାନ ହେବା ସହିତ ବ୍ୟାପକ ଜନସଚେତନତାର ଆଵଶ୍ୟକତା ରହିଥିବା ସେ କହିଛନ୍ତି।
ତେଣୁ ଆଉ କଣ ପଦକ୍ଷେପ ନେଲେ ଏହାର ବୃଦ୍ଧିପାଉଥିବା ବେଗ ଉପରେ ନିୟନ୍ତ୍ରଣ ରଖା ଯାଇପାରିବ,
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆସିପାରିବ ସେନେଇ ଏହି ରାଉଣ୍ଡ ଟେବୁଲ ମାଧ୍ୟମରେ ଲୋକଙ୍କ ନିକଟରୁ ପରାମର୍ଶ ଲୋଡାଯାଇଛି।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ CII ଭିଇଶ ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାନ୍ତି, ପ୍ରଭାତ କୁମାର ସିହ୍ନା, ଡ଼ଃ ସତ୍ୟ ଅଗ୍ରୱାଲ, ଡ଼ଃ ଦିନେଶ ପେନ୍ଧାରକର ପ୍ରମୁଖ ଉପସ୍ଥିତ ରହି ଏହା ଉପରେ ଆଲୋଚନା କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ