ଭୁବନେଶ୍ବର: ଢେଙ୍ଗୁ ଦାଉରୁ ସହରବାସୀଙ୍କୁ ସୁରକ୍ଷା ଦେବାକୁ BMCର ସଜବାଜ । ଗତ କିଛି ଦିନ ମଧ୍ୟରେ ୮ ନମ୍ବର ୱାର୍ଡ ନୀଳାଦ୍ରି ବିହାର ଅଞ୍ଚଲରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ BMCରେ ତତ୍ପରତା ପ୍ରକାଶ ପାଇଛି । ଘଟଣାର ତଦନ୍ତ କରିବା ପାଇଁ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ନର୍ଥ ଜେଡିଶୀ ପୁରନ୍ଦର ନନ୍ଦ, ସିଟି ହେଲଥ ଅଫିସର ବସନ୍ତ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଡେଙ୍ଗୁ କାହିଁକି ବ୍ୟାପୁଛି ତାର କାରଣ ଖୋଜିବା ଆରମ୍ଭ କରିଛି ପୁରା ଟିମ୍ ।
ଆଉ କେମିତି ଅନ୍ୟମାନଙ୍କୁ ନ ବ୍ୟାପିବ ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ବହୁ ସ୍ଥାନୀୟ ବାସିନ୍ଦା ଘର ସାମ୍ନାରେ ଅଳିଆ ଆବର୍ଜନା ପକାଇବା, ନିଜ ଘରକୁ ଲାଗିକରି ଥିବା ବିଭିନ୍ନ ସ୍ଥାନରେ ଅନାବନା ଘାସ, ଗଛ ଉଠିବା ଓ ପାଣି ଜମିଥିବା ଦେଖିବାକୁ ପାଇଥିଲା BMC ଟିମ୍ । ୨୪ ଘଣ୍ଟା ଭିତରେ ନିଜ ଘର ଚର୍ତୁଃପାଶ୍ବ ପରିଷ୍କାର କରିବାକୁ ଚେତାବନୀ ଦିଆଯାଇଛି । ସେହିପରି ସର୍ବସାଧାରଣ ସ୍ଥାନ ଯଥା ରାସ୍ତା, ଡ୍ରେନ ସଫା କରିବାକୁ ବିଏମସି ନିଷ୍ପତି ନେଇଛି ।
ସହରର ବିଭିନ୍ନ ସ୍ଥାନରେ ମଶା ତେଲ ସିଞ୍ଚନ କରାଯାଇଛି । କାହା ପାଖରେ ଡେଙ୍ଗୁ ଲକ୍ଷଣ ଦେଖାଗଲେ ତୁରନ୍ତ କ୍ୟାପିଟାଲ ହସପିଟାଲ, RMCରେ ପରୀକ୍ଷା କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ସଚେତନ ପାଇଁ ସ୍ଥାନୀୟ ଲୋକଙ୍କୁ ଲିଫଲେଟ୍ ବଣ୍ଟାଯାଇଛି । ଯେହେତୁ ବର୍ଷା ଦିନ ଚାଲିଛି, ଡେଙ୍ଗୁ ପ୍ରତି ସତର୍କତା ଅବଲମ୍ବନ ନକଲେ ଏହା ବ୍ୟାପିବାର ସମ୍ଭାବନା ରହିଛି ।
ଯଦି ଡେଙ୍ଗୁ ହୋଇଥିବା ରୋଗୀଙ୍କୁ ମଶା କାମୁଡି ଅନ୍ୟ ଜଣେ ସୁସ୍ଥ ଲୋକଙ୍କୁ ସେଇ ମଶା କାମୁଡିବ ତେବେ ତାଙ୍କୁ ମଧ୍ୟ ଡେଙ୍ଗୁ ଜ୍ଵର ହେବ । ତେଣୁ ଡେଙ୍ଗୁ ଚିହ୍ନଟ ହେବା ମାତ୍ରେ ଡ଼ାକ୍ତର ଖାନାରେ ରହି ଚିକିତ୍ସିତ ହେବେ। ସବୁବେଳେ ମଶାରୀ ତଳେ ରହିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେଣୁ ଏଡିସ୍ ମଶା ଅଣ୍ଡା ଦେଉଥିବା ସ୍ଥାନକୁ ନଷ୍ଟ କରିବାକୁ କୁହାଯାଇଛି ।
ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ