ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଲଗାତାର ପଜିଟିଭ ମାମଲା ପ୍ରକାଶ ପାଉଛି । ଏନେଇ ରାଜ୍ୟ ସରକାର କୋଭିଡ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ ସଂକ୍ରମଣ ସ୍ଥିତି ଉତ୍କଟ ହେଲେ ତାହାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଥିବାବେଳେ ବର୍ତ୍ତମାନ ଭୁବନେଶ୍ବରରେ କଣ୍ଟେନମେଣ୍ଟ ଜୋନ ସ୍ଥିତି ସୃଷ୍ଟି ହୋଇଛି କି ନାହିଁ ସେନେଇ ମୁହଁ ଖୋଲିଛି ବିଏମସି ।
ବିଏମସି ଯେତେବେଳେ ଚାହିଁବ, ପରିସ୍ଥିତି ଦେଖି କଣ୍ଟେନମେଣ୍ଟ ଜୋନ କରିପାରିବ । କଣ୍ଟେନମେଣ୍ଟ ଲାଗୁ ପାଇଁ ବିଏମସି ଅଥରାଇଜଡ୍ । ଏବେ ଯାଏଁ ଭୁବନେଶ୍ବରରେ ସେଭିଳି ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଯେଉଁସବୁ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଇଛି, ସେ ସମସ୍ତ ଅନୁଷ୍ଠାନକୁ ଆମେ ସିଲ୍ କରିଛୁ ଯଦି ସେଭଳି କିଛି ସାଙ୍ଘାତିକ ସ୍ଥିତି ଆସେ, ତେବେ ଲୋକଙ୍କ ସୁରକ୍ଷା ପାଇଁ କଣ୍ଟେନମେଣ୍ଟ ଜୋନ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର ।
ତେବେ ରାଜ୍ୟରେ କଣ୍ଟେନମେଣ୍ଟ ଜୋନକୁ ବର୍ଷେ ପୁରୁଛି । ଗତବର୍ଷ ଠିକ ଏହି ସମୟରେ ପ୍ରଥମକରି ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଥିଲା ବିଏମସି । ଯେହେତୁ ଗୋଟିଏ ସ୍ଥାନରୁ ଏକାଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ, ତାକୁ ଦେଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ