ଭୁବନେଶ୍ବର: ବ୍ୟବସାୟିକ ପେଣ୍ଠସ୍ଥଳ କଟକରେ ଦୀର୍ଘ ଦିନ ହେବ ଅପମିଶ୍ରିତ ଓ ନକଲି ଖାଦ୍ୟ କାରଖାନା ସିଲ ହେବା ପରେ ଭୁବନେଶ୍ବରରେ କଡାକଡି ହୋଇଛି ଖାଦ୍ୟ ସୁରକ୍ଷା । ରାଜଧାନୀରେ ନୀଚ୍ଚମାନର ଖାଦ୍ୟ ବିକ୍ରୟ ଉପରେ ରୋକ ଲଗାଇବାକୁ ଅଣ୍ଟା ଭିଡିଛି ବିଏମସି । ବିଏମସି ପକ୍ଷରୁ ଅନେକ ସ୍ଥାନରେ ଅତର୍କିତ ଚଢାଉ କରାଯାଇ ବିଭିନ୍ନ ଛୋଟ ବଡ ଠେଲାରୁ ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି । ଏଥିସହ ପାଖାପାଖି ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ଜବତ ହୋଇଛି ।
ଖାଦ୍ୟ ନିରାପତ୍ତା ଅଧିକାରୀ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ବୁଲି ବୁଲି ଠେଲା ଦୋକାନୀ ଏବଂ ହୋଟେଲଗୁଡିକରୁ ଖାଦ୍ୟ ନମୁନା ସଂଗ୍ରହ କରୁଛନ୍ତି । ବଡ ବଡ ଖାଦ୍ୟ କରାଖାନା ଓ ଶିଳ୍ପଗୁଡିକ ଉପରେ ଚଢାଉ ଜାରି ରହିଛି । ଭୁବନେଶ୍ବରରେ ଅପମିଶ୍ରିତ ଓ ନକଲି ଖାଦ୍ୟ ସାମଗ୍ରୀ ବିକ୍ରୟ ସମ୍ପର୍କରେ ସୂଚନା ମିଳିଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏମସି ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ