ଭୁବନେଶ୍ବର : ଭୁବନେଶ୍ବରରେ ବଢିଲା ପାର୍କିଂ ଫି । ଦେଶର ରାଜଧାନୀ ଦିଲ୍ଲୀ ଓ ବମ୍ବେକୁ ଟପିଲା ସ୍ମାର୍ଟ ସିଟିର ପାର୍କିଂ ଫି । ଆଜିଠାରୁ (ଶନିବାର) ରାଜଧାନୀରେ ନୂଆ ଦରରେ ପାର୍କିଂ ଫି’ ଲାଗୁ ହୋଇଛି । ଏନେଇ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ହୋଡିଂ ଲଗାଯାଇଛି । ବିଏମସି କର୍ତ୍ତୃପକ୍ଷ ସହରର ୩୨ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥାକୁ ଘରୋଇ ବ୍ୟକ୍ତିଙ୍କ ହାତରେ ଟେକି ଦେବା ନିମନ୍ତେ ଟେଣ୍ଡର ଦେଇଛନ୍ତି । ଟେଣ୍ଡର ଦସ୍ତାବିଜ ଅନୁସାରେ,ରାଜଧାନୀର ଯେକୌଣସି ସ୍ଥାନରେ ସର୍ବାଧିକ ୨ଘଣ୍ଟା ବାଇକ ରଖିଲେ ୫ଟଙ୍କା, କାର ପାଇଁ ୨୦ଟଙ୍କା ଓ ୪ଚକିଆ ଭାରିଯାନ ପାଇଁ ୨୫ଟଙ୍କା ଦେବାକୁ ପଡ଼ିବ । ମାତ୍ର ୨ରୁ ୩ଟି ବାଇକ ପାର୍କିଂ କଲେ ୧୫ଟଙ୍କା, ୩ଚକିଆ ଯାନକୁ ୨୦ଟଙ୍କା, ଚାରିଚକିଆକୁ ୪୦ଟଙ୍କା ଓ ଭାରିଯାନ ପାଇଁ ୫୦ଟଙ୍କା ଆଦାୟ ହେବ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୩ରୁ ୪ଘଣ୍ଟା ପାର୍କିଂ ନିମନ୍ତେ ବାଇକ ଚାଳକଙ୍କୁ ୨୫ଟଙ୍କା, ତିନିଚକିଆକୁ ୩୫ଟଙ୍କା, ଚାରିଚକିଆକୁ ୬୦ଟଙ୍କା ଓ ଭାରିଯାନକୁ ୭୫ଟଙ୍କା ଫି’ ଦେବାକୁ ହେବ। ସେହିପରି ୪ ରୁ ୫ଘଣ୍ଟା ପାଇଁ ବାଇକ ଚାଳକଙ୍କୁ ୩୫ଟଙ୍କା, ୩ଚକିଆକୁ ୫୦ଟଙ୍କା, ଚାରିଚକିଆ ଯାନକୁ ୮୦ଟଙ୍କା ଓ ଭାରିଯାନକୁ ୧୦୦ଟଙ୍କା ଦେବାକୁ ପଡ଼ିବ। ୫ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡ଼ିକୁ ଘଣ୍ଟା ପ୍ରତି ଅତିରିକ୍ତ ୨୦ଟଙ୍କା ହିସାବରେ ଦେବାକୁ ପଡ଼ିବ ଫି। ଅବଶ୍ୟ ସାଇକେଲ ପାଇଁ କୌଣସି ପାର୍କିଂ ଫି’ ଦେବାକୁ ପଡ଼ିବ ନାହିଁ। ବ୍ୟବସାୟିକ ପ୍ରତିଷ୍ଠାନ କରିଥିବା ବ୍ୟବସାୟୀ ଚାହିଁଲେ ମାସିକିଆ ପାସ ପାଇଁ ୫୦୦ ଟଙ୍କା ଓ ୧୫ଦିନ ପାଇଁ ୩୦୦ଟଙ୍କା ଦେଇପାରିବେ । ତେବେ, ଏଠି ପ୍ରଶ୍ନ ଉଠୁଛି ଦେଶର ରାଜଧାନୀ ଦିଲ୍ଲୀ ଭଳି ମେଟ୍ରୋ ସହରରେ ବାଇକ ଚାଳକଙ୍କୁ ଘଣ୍ଟାପ୍ରତି ୧୦ଟଙ୍କା ଓ ଗୋଟିଏ ଦିନରେ ସର୍ବାଧିକ ୫୦ଟଙ୍କା ଦେବାକୁ ପଡିଥାଏ। ସେହିପରି କୋଲକାତାରେ ଦିନ ୧୦ଟାରୁ ୭ଟା ମଧ୍ୟରେ ବାଇକ ଚାଳକଙ୍କୁ ୫ଟଙ୍କା ଓ କାରଚାଳକଙ୍କ ଠାରୁ ୧୦ଟଙ୍କା ପାର୍କିଂ ଫି’ ଆଦାୟ ହୋଇଥାଏ । ରାତିରେ ବାଇକ ପାଇଁ ୧୦ଟଙ୍କା ଓ କାର ପାଇଁ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି। କିନ୍ତୁ ଭୁବନେଶ୍ବରରେ ଫି ବୃଦ୍ଧି ଏତେ କାହିଁକି ହୋଇଛି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ