ଭୁବନେଶ୍ବର:ଆଜି(ବୁଧବାର) ମହାଳୟା ଶ୍ରାଦ୍ଧ ଥିଵାରୁ ବିଏମସି ଜାରି କଲା ନୂଆ ତଥା ସ୍ବତନ୍ତ୍ର ଗାଇଡଲାଇନ। ଏହି ଅବସରରେ ବିନ୍ଦୁ ସାଗରରେ ଶ୍ରାଦ୍ଧ ଦେବା ପାଇଁ ଭିଡ ରହୁଥିବାରୁ ସ୍ବତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି । ମହାଳୟା ସମୟରେ ଶ୍ରାଦ୍ଧ କିମ୍ବା ବ୍ରାହ୍ମଣ ଭୋଜନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବା ଯୋଗୁ ଏହି କଟକଣା ଲାଗୁ କରିଛି ବିଏମସି ।
ସେହିପରି ବିଏମସି ଜାରି କରିଥିବା ଗାଇଡ଼ଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି । ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଗତକାଲି ଜାରି କରିଥିବା ଗାଇଡ଼ଲାଇନକୁ ସାମାନ୍ୟ କୋହଳ କରିଛି । ପୂର୍ବରୁ ମାତ୍ର 50 ଜଣ ବ୍ୟକ୍ତିଙ୍କୁ ସାମିଲ ହେବା ନେଇ ଅନୁମତି ଥିବାବେଳେ ଏହାକୁ କୋହଳ କରାଯାଇ ଆୟୋଜିତ ଉତ୍ସବରେ ମଣ୍ଡପ କ୍ଷମତାର ଶତକଡା 50 ଭାଗ ଲୋକଙ୍କୁ ଅନୁମତି ଦେଇଛି ବିଏମସି । କିନ୍ତୁ ପରସ୍ପର ମଧ୍ୟରେ 6 ଫୁଟ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି।
ବିଏମସି ଗାଇଡଲାଇନ ଜାରି କରିବା ପରେ ଅନେକ ସାମାଜିକ ସଂଗଠନ ଏହାକୁ ବିରୋଧ କରିବା ସହ ଏଥିରେ ସଂଶୋଧନ କରିବା ପାଇଁ ଦାବି କରିଥିଲେ । ବିଏମସି କମିଶନର ସଞ୍ଜୟ ସିଂଙ୍କ ସହ ଆଲୋଚନା ପରେ ଗାଇଡ଼ଲାଇନରେ ସାମାନ୍ୟ ପରିବର୍ତ୍ତନ କରିଛି ବିଏମସି । ପରିବର୍ତ୍ତିତ ଗାଇଡ଼ଲାଇନ ଆସନ୍ତା 31ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ନିଗମ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ