ଭୁବନେଶ୍ବର: ବି.କେ.ଏନ୍ ଦୁଗ୍ଧ ସଂଘର ଭ୍ରାମ୍ୟମାଣ ଗୋ- ଚିକିତ୍ସା ସେବା ଓ ଗୋଯତ୍ନ ସମ୍ବନ୍ଧୀୟ ଦୂରଭାଷ ପରାମର୍ଶ ସେବା କେନ୍ଦ୍ରର ଉଦଘାଟନ ହୋଇଛି । ଉଦଘାଟନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ । ଦୁଗ୍ଧ ସଂଘରେ ଯେପରି ଅଧିକ ଦୁଗ୍ଧଚାଷୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।
ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଏହି ତିନୋଟି ଜିଲ୍ଲାକୁ ନେଇ ଏହି ଦୁଗ୍ଧ ସଂଘ ବି.କେ.ଏନ୍ ଗଠନ କରାଯାଇଛି । ଏହାର ମୁଖ୍ୟାଳୟ ବଲାଙ୍ଗୀରଠାରେ ରହିଛି । ବି.କେ.ଏନ୍ ଦୁଗ୍ଧ ସଂଘର ସମସ୍ତ ସମିତିର ସଂପାଦକ ଓ ହେଲୋଡରମାନଙ୍କୁ ଜୀବନ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ତା'ଛଡ଼ା ଦୁଗ୍ଧ ସଂଘର ଦ୍ବିତୀୟ ସଂସ୍କରଣର ସମାଚାର ଅତିଥିବୃନ୍ଦଙ୍କ ଦ୍ଵାରା ଉନ୍ମୋଚନ କରାଯାଇଛି । ଦୁଗ୍ଧ ସଂଘରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ଦୁଗ୍ଧଚାଷୀଙ୍କଠାରୁ ଦୈନିକ ୫୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି । ଆଗକୁ ଯେପରି ଦୁଗ୍ଧ ସଂଘରେ ୩୦ ହଜାର ଦୁଗ୍ଧଚାଷୀ ଜଡ଼ିତ ହେବେ ସେ ଦିଗରେ ପ୍ରଚେଷ୍ଟା କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପରାମର୍ଶ ଦେଇଛନ୍ତି ।
ଉଦଘାଟନ କାର୍ଯ୍ୟକ୍ରମ ସହିତ ବି.କେ.ଏନ୍ ଦୁଷ୍ଟ ସଂଘର ‘ଗୋପାଳନ ମାଧ୍ୟମରେ ଗ୍ରାମାଞ୍ଚଳର ଦୁଗ୍ଧଚାଷୀଙ୍କ ସାମାଜିକ ଉତ୍ଥାନ ସମ୍ବନ୍ଧୀୟ କର୍ମଶାଳା’ ଆଲୋଚନା ଚକ୍ରର ଆୟୋଜନ ହୋଇଛି । ୩ ଜଣ ପ୍ରାଣୀଚିକିତ୍ସକ ଡା. ଭବାନୀ ଶଙ୍କର ବେହେରା, ଡା. ସୁବ୍ରତ କୁମାର ରଥ ଓ ଡା. ପଲ୍ଲବୀ ପ୍ରିୟଦର୍ଶନୀଙ୍କୁ ଗୋପାଳନ ବିକାଶ ଦିଗରେ ଅତୁଳନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି । ସେହିପରି ଜଣେ ଦୁଗ୍ଧଚାଷୀ ସତ୍ୟନାରାୟଣ ବେହେରାଙ୍କୁ ଲଗାତାର ୩ ବର୍ଷ ଧରି ସର୍ବାଧିକ ଦୁଗ୍ଧ ଯୋଗାଣ କରିଥିବା ଯୋଗୁଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଏହି ଦୂରଭାଷ ପରାମର୍ଶ ସେବାର ବୈଷୟିକ ସହାୟତା ଓଡ଼ିଶା ଇନ୍ଫୋଟେକ୍ ସଂସ୍ଥା ସହାୟତାରେ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ପରିଚାଳକ ଡ. ସରୋଜ କୁମାର ସାହୁ ସଂଯୋଜନା କରିଥିବାବେଳେ ପ୍ରାଣୀ ଚିକିତ୍ସା ବିଭାଗ, ସମିତି ସଂପାଦକ ଓ ଦୁଗ୍ଧ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ତଥା ବି.କେ.ଏନ୍ ଦୁଗ୍ଧ ସଂଘର ପ୍ରଶାସକ ଚଞ୍ଚଳ ରାଣା, ମୁଖ୍ୟ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ଡା. ଦିଗମ୍ବର ନାୟକ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ