ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଅନ୍ୟ ନେତାମାନେ ଆରମ୍ଭ କରିଥିବା ଚୌକିଦାର ଅଭିଯାନକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ କୁମାର ସାହୁ । ଚୌକିଦାର କହିଲେ ସାଧାରଣ ଲୋକେ ଚୌକି ଦରକାର ବୋଲି ବୁଝୁଥିବା ସେ ଜଣାଇଛନ୍ତି ।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଦେଶର ଚୌକିଦାର ବୋଲି କହୁଥିଲେ । ଏହି ଚୌକିଦାର ଉପାଖ୍ୟାନକୁ ନେଇ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ମୋଦିଙ୍କ ମଧ୍ୟରେ ଅନେକ ସମୟରେ କଥା କଟାକଟି ମଧ୍ୟ ହୋଇଛି । ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ଆଗ ଧାଡ଼ିର ନେତା ଏବଂ ମନ୍ତ୍ରୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନାଁ ପୂର୍ବରୁ ଚୌକିଦାର ଲଗାଇଛନ୍ତି । କହିବାକୁ ଗଲେ ଦେଶର ସାଧାରଣ ଜନତା ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇ ନିଜର ନାଁ ପୂର୍ବକୁ ଚୌକିଦାର ଲେଖିବା ଆରମ୍ଭ କଲେଣି । ତେବେ ଏହାକୁ ଏକ ମଜାଳିଆ ଢଙ୍ଗରେ ସମାଲୋଚନା କରିଛନ୍ତି ବିଜେଡି ନେତା ଅରୁଣ ସାହୁ ।
ବିଜେପି ନେତାଙ୍କ ଏହି ଚୌକିଦାର ଦାବିକୁ ନୂଆ ଫଣ୍ଡା ଦେଇ ଅରୁଣ କହିଛନ୍ତି ଯେ, ‘ଲୋକେ ଭାବୁଛନ୍ତି ସେମାନେ ଦେଶର ଚୌକିଦାର । ତେବେ ସେମାନେ ପ୍ରକୃତରେ ଚୌକି ଦରକାର ବୋଲି କହୁଛନ୍ତି । ଅର୍ଥାତ 2019ରେ ପୁଣି ଦିଲ୍ଲୀ ସିଂହାସନ ଆମକୁ ମିଳୁ’। ସେହିଭଳି 2019ରେ କୌଣସି ଦଳ କେନ୍ଦ୍ରରେ ସ୍ଥିର ସରକାର ଆଣିପାରିବ ନାହିଁ ବୋଲି ସବୁ ଏକଜିଟ ପୋଲ ଆକଳନ କରୁଥିବା ଅରୁଣ କହିଛନ୍ତି । ତେଣୁ ବିଜେପି ନେତାମାନେ ଦେଶବ୍ୟାପୀ ଚୌକି ଦରକାର ଚୌକି ଦରକାର ବୋଲି ଦାବି କରୁଥିବା ଦର୍ଶାଇ ସେ କଟାକ୍ଷ କରିଛନ୍ତି ।
ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ