ଭୁବନେଶ୍ବର: ରାଜ୍ୟରେ କୋରୋନା ପରିଚାଳନା ସଠିକ ଭାବେ ହେଉନାହିଁ ବୋଲି ବିଜେପି ଅଭିଯୋଗ ଆଣିଛି । ଏଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି(ଶୁକ୍ରବାର) ଭାରତୀୟ ଜନତା ପାର୍ଟିର ସଭାପତିଙ୍କ ନେତୃତ୍ବରେ ୫ ଜଣିଆ ଟିମ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବେ ବୋଲି ଜଣାପଡିଛି ।
ଏହି 5 ଜଣିଆ ଟିମ ଭର୍ଚ୍ଚୁଆଲ ମାଧ୍ୟମରେ କୋରୋନା ପରିଚାଳନା ତ୍ରୁଟି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ତାଙ୍କୁ ଅବଗତ କରାଇବେ ବୋଲି ସୂଚନା ମିଳିଛି । ଟେଷ୍ଟିଙ୍ଗ ଆଉ ଟ୍ରେସିଂ ବ୍ୟାପକ କରିବାକୁ ବିଜେପି ବାରମ୍ବାର ଦାବି କରିଆସିଛି । ହେଲେ ସରକାର କର୍ଣ୍ଣପାତ କଲା ଭଳି ଲାଗୁନାହିଁ। ସେପଟେ ରାଜଧାନୀରେ ସ୍ଥିତି ବିଗୁଡିଥିବା ବେଳେ ମାଇକ୍ରୋ କଣ୍ଟେନମେଣ୍ଟକୁ ଗୁରୁତ୍ବ ଦିଆଯାଉନାହିଁ । ବିଜେପି ଦଳ ପକ୍ଷରୁ ସବୁ ଜିଲ୍ଲାରେ ଅଭିଯୋଗ କକ୍ଷ ଖୋଲିଯାଇଛି ବୋଲି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ରାଜ୍ୟରୁ ଯାହା ଅଭିଯୋଗ ଆସୁଛି, ତାର ପ୍ରତିକାର ପାଇଁ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରାଯିବ। ଶୁକ୍ରବାର ସନ୍ଧ୍ୟା ସାଢ଼େ 6ରେ ଭର୍ଚ୍ଚୁଆଲ ଜରିଆରେ ଏହି ବୈଠକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ