ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାରା ରାଜ୍ୟରେ ଦୀର୍ଘ ସମୟରେ ଧରି ଦୁର୍ନୀତି ହୋଇଆସୁଛି । ବାରମ୍ବାର ସେ କଥା ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣୁଛୁ । ରାଜ୍ୟ ସରକାର ସେ ଦିଗରେ ଗୋଟିଏ ହେଲେ ପଦକ୍ଷେପ ନେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନାହାନ୍ତି । ଏହାର ଅର୍ଥ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉ, ରାଜ୍ୟର ଯୋଗ୍ୟ ହିତାଧିକାରୀ ମାନେ ଘର ନପାଆନ୍ତୁ ଏବଂ ଯେଉଁ ମାନେ ବି ଘର ପାଇଛନ୍ତି, ସେମାନଙ୍କୁ ବିଜୁ ଜନତା ଦଳର ନେତା ମାନେ ଶୋଷଣ କରନ୍ତୁ, ସେମାନେ ଆର୍ଥିକ ଭ୍ରଷ୍ଟାଚାରରେ ଲିପ୍ତ ହୋଇ ତାଙ୍କଠୁ ଲୁଟ କରନ୍ତୁ । ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଜୁ ଜନତା ଦଳର ନେତା ମାନଙ୍କ ଓ କର୍ମୀ ମାନଙ୍କୁ ଲାଇସେନ୍ସ ଦେଇଛନ୍ତି । ଏମିତି କିଛି କଡା ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ, ଚିଲିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫେବୃଆରୀ ମାସରେ ଯେଉଁ ଦରଖାସ୍ତ ଗୁଡିକ ଆବେଦନ କରାଯାଇଥିଲା, ସେଗୁଡିକୁ ବ୍ଲକ ପଛପଟେ ଫୋପଡା ଯାଇଥିଲା । ଏ ସମ୍ପର୍କରେ ଯେତେବେଳେ ଜଣାପଡିଲା ସେଗୁଡିକୁ ତରବରିଆ ଭାବରେ ବିଡିଓ ଏବଂ ବ୍ଲକର ଅନ୍ୟ କର୍ମଚାରୀମାନେ ବସ୍ତାରେ ଭର୍ତ୍ତି କରି ରଖିଛନ୍ତି ଏବେ ପର୍ଯ୍ୟନ୍ତ । ସେ ବାବଦରେ ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ହେଲେ ସେ ବାବଦରେ ନା କୌଣସି ତଦନ୍ତ ହେଲା ନା ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ । ଏହାର ଅର୍ଥ ହେଉଛି ଫେବ୍ରୁଆରୀ ମାସରେ ରାଜ୍ୟ ସରକାର ଯେଉଁ ଆହ୍ବାନ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ନୂଆ ଦରଖାସ୍ତ, ସେଥିରୁ ଜଣାପଡୁଛି ଯେ ରାଜ୍ୟ ସରକାର ଓଡିଶାର ଗରିବ ଲୋକଙ୍କ ସହ କେବଳ ମିଛ ଭେଳିକି ଖେଳୁଥିଲା ।
ସେହିପରି ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତ ସାହସପୁର ଗାଁରେ ଅହଲ୍ୟା ଦାସ ନାମକ ଜଣେ ଗରିବ ମହିଳାଙ୍କ ଆକାଉଣ୍ଟରୁ ସରପଞ୍ଚ ଜବରଦସ୍ତ 15 ହଜାର ଟଙ୍କା କାଢି ନେଲେ । ସେ କଥାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲୁ । ହେଲେ ରାଜ୍ୟ ସରକାର ଚୁପ ରହିଲେ । ଏ ପର୍ଯ୍ୟନ୍ତ ଜଣେ କେହି ଅଧିକାରୀ ପ୍ରଶ୍ନ ଉଠାଇ ନାହାନ୍ତି । ଆଉ ରାଜ୍ୟ ପ୍ରଶାସନ କୋଭିଡ ସଂକ୍ରମଣ ନାଁରେ ନିଦରେ ଶୋଇଛନ୍ତି ।
ଶେଷରେ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତରେ ସୁରେଶ ଚନ୍ଦ୍ର ବେହେରାଙ୍କୁ ୱାର୍କ ଅର୍ଡର ମିଳିଥିଲା । ତେବେ ପ୍ରଥମ କିସ୍ତି ବାବଦକୁ ମିଳିଥିବା 20 ହଜାର ଟଙ୍କାରୁ ସରପଞ୍ଚଙ୍କ ଭାଇ ଜବରଦସ୍ତ କରି 11 ହଜାର ଟଙ୍କା ନେଇଗଲେ । ଆଉ ଯେତେବେଳେ ସୁରେଶ କହିଲେ 9 ହଜାର ଟଙ୍କାରେ ମୁଁ ଘର କେମିତି କରିବି, ସେତେବେଳେ ସରପଞ୍ଚଙ୍କ ଭାଇ କହିଲେ, ତୁମେ ଯେମିତି କରୁଛ କର, 11 ହଜାର ଟଙ୍କା ଆମର ପ୍ରାପ୍ୟ ଆମେ ନେଇଯିବୁ । ତେଣୁ ସୁରେଶ ଚନ୍ଦ୍ର ବେହେରା ଆଉ ଘର କରିପାରିଲେ ନାହିଁ । ଆଉ ତାପରେ ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସରଙ୍କ ଲଗାଇ ବାରମ୍ବାର ସୁରେଶଙ୍କୁ ଧମକ ଦିଆଗଲା ଯେ ପୁରା 20 ହଜାର ଟଙ୍କା ଫେରାଇ ଦିଅ, ୱାର୍କ ଅର୍ଡର ଆମେ କ୍ୟାନସେଲ କରିଦେବୁ । ଆଉ ଏକଥାକୁ ନେଇ ସୁରେଶ ବ୍ଲକ ପ୍ରଶାସନ ପାଖକୁ ଯାଇଥିଲେ । ହେଲେ ବ୍ଲକର କୌଣସି ଅଧିକାରୀ ତାଙ୍କୁ ଭେଟିଲେ ନାହିଁ । ଏ ହେଉଛି ବାସ୍ତବ ଚିତ୍ର ।
ଉପରୋକ୍ତ 3ଟି ଘଟଣା କେବଳ ଉଦାହରଣ । କେବଳ ଖୋର୍ଦ୍ଧା ଜିଲ୍ଲାରେ ନୁହେଁ, ସମଗ୍ର ରାଜ୍ୟରେ ହଜାର ହଜାର ଏଭଳି ଘଟଣା ଘଟୁଛି । ଏ ଭଳି ହରିଲୁଟ ଚାଲିଛି । ବିଜେଡିର ସରପଞ୍ଚ ମାନେ ଭ୍ରଷ୍ଟାଚାର କରୁଛନ୍ତି । ଗରିବ ଓଡିଆ ପୀଡିତ ଓ ଶୋଷିତ ହେଉଛନ୍ତି । ଏ ସବୁ ପ୍ରସଙ୍ଗରେ ରାଜ୍ୟ ସରକାର ଚୁପ ରହୁଥିବାରୁ ଗତ ଜୁଲାଇ 5 ତାରିଖ ଦିନ ଉକ୍ତ 3ଟି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀକୁ ବିଜେପି ଚିଠି ଲେଖିଛି । ଚିଠିରେ ଉଲ୍ଲେଖ ରହିଛି, ଯେ ଏ 3ଟି ଘଟଣା ହେଉଛି ସାମ୍ପଲ ଟେଷ୍ଟ । ଯଦି ରାଜ୍ୟ ସରକାର ଏ ଦିଗରେ 7 ଦିନ ଭିତରେ କୌଣସି ନିଷ୍ପତ୍ତି ନେବେ ନାହିଁ, ତେବେ ଆମେ ବାଧ୍ୟ ଲୋକାୟୁକ୍ତ ଓ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ