ଭୁବନେଶ୍ବର: "ବିଜୁ ଜନତା ଦଳ ସତ୍ୟ ଓ ନିଷ୍ଠା ସହ ଲଢ଼େଇ କରି କେବେ ଜିତି ପାରିବ ନାହିଁ । କୋରୋନା ମହାମାରୀ ସମୟରେ ଉପନିର୍ବାଚନ ହେଉଛି । ଭିଡ଼ କମାଇବା ପାଇଁ ପାଇଁ ବହୁ ଗୁଡ଼ାଏ ନିୟମକାନୁନ କରାଯାଇଛି । ହେଲେ ଏହାକୁ ଭୃୃକ୍ଷେପ କରୁନାହିଁ ବିଜେଡି ଦଳ ।" ଏଭଳି ଅଭିଯୋଗ କରି ନିର୍ବାଚନ କମିଶନ ନିକଟରେ ଫେରାଦ ହୋଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।
ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ବାଇକ୍ ରାଲି ବନ୍ଦ କରାଯାଇଛି । କୌଣସି ଗାଡ଼ିରେ ପାଞ୍ଚ ଜଣରୁ ଅଧିକ ଲୋକ ବସି ପାରିବେ ନାହିଁ । କିନ୍ତୁ ବିଜେଡି ପ୍ରାର୍ଥୀ ଗତକାଲି ବିଶାଳ ବାଇକ ରାଲି କରିବା ସହ ଗାଡିରେ ପ୍ରାର୍ଥୀ, ମନ୍ତ୍ରୀ ସମୀର ଦାସ ଏବଂ ତାଙ୍କ ସମର୍ଥକମାନେ ମଧ୍ୟ ପ୍ରଚାର କରିଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା । ବିଜେପି ସମସ୍ତ ପ୍ରକାର ଶୃଙ୍ଖଳାକୁ ମାନି ନିର୍ବାଚନ ଲଢ଼ିବାକୁ ଯାଉଥିବାବେଳେ ବିଜୁ ଜନତା ଦଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ନିର୍ବାଚନକୁ ନିୟନ୍ତ୍ରଣ ଯେଉଁମାନେ କରିବା କଥା ସେମାନେ ମୁକସାକ୍ଷୀ ପାଲଟିଛନ୍ତି । ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି । ଯେଉଁମାନେ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ FIR ଦେବାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ