ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସରକାର ଜିଓ ଟ୍ୟାଗିଙ୍ଗ କରିନାହାନ୍ତି ତଥାପି ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ଦାବି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଏକ ହାସ୍ୟାସ୍ପଦ ଚିଠି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
2018-19ରେ ପାଞ୍ଚ ଥର ଆବାସ ସଫ୍ଟୱେର ୱିଣ୍ଡୋ ଖୋଲାଥିଲା, କିନ୍ତୁ 45 ହଜାର 903 ନାମ ପଞ୍ଜୀକୃତ ହୋଇଛି । ଫନି ବେଳେ 3.89 ଲକ୍ଷ ଲୋକଙ୍କ ପାଇଁ ଘର ଦରକାର ଓ ୱିଣ୍ଡୋ ଖୋଲିବାକୁ ଅନୁରୋଧ କରିଥିଲେ । ସେତେବେଳ 2ଟି ପର୍ଯ୍ୟାୟରେ 14ଟି ଜିଲ୍ଲାର 13 ଲକ୍ଷ ଲୋକଙ୍କ ନାଁ ଯୋଡିଲେ । ମୁଖ୍ୟମନ୍ତ୍ରୀ ନିଜ ଅଜ୍ଞତା ପ୍ରକାଶ କରି ଚିଠି ଲେଖୁଛନ୍ତି । କିନ୍ତୁ ଅନ୍ୟ ଗରିବ ଆକାଂକ୍ଷୀ ଜିଲ୍ଲାକୁ ଦେଲେନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁ ନାମ ପଞ୍ଜୀକୃତ ହେବ, ସେଗୁଡିକ ଜନ ନିରୀକ୍ଷଣ ସମିତି ଗଠନ ହୋଇ ଗ୍ରାମସଭା ମାଧ୍ୟମରେ ତାଲିକା ଚୂଡାନ୍ତ ହେବା ଦରକାର ।
କେନ୍ଦ୍ରୀୟ ତଦନ୍ତକାରୀ ଦଳ ରିପୋର୍ଟ ଏପ୍ରିଲ ମାସରୁ ଦେଇଥିବା ଚିଠିରେ ବ୍ୟାପକ ଦୁର୍ନୀତି ହୋଇଥିବା ଉଲ୍ଲେଖ ହୋଇଛି । କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି । କେହି ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଥିଲେ କିମ୍ବା ଯୋଗ୍ୟ ବାଦ ପଡିଥିଲେ ଏହାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି । ତେବେ ସରକାରଙ୍କ ଚୋରି ଧରାପଡିଥିବାବେଳେ ସେ ମିଛ ନକହି ନୈତିକତା ଦେଖାନ୍ତୁ ବୋଲି କହିଛନ୍ତି ପୃଥ୍ବୀରାଜ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ