ଭୁବନେଶ୍ବର: ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ହେବ ସମବାୟ ସମିତି ନିର୍ବାଚନ । ଠିକ୍ ସମୟରେ ଏହି ନିର୍ବାଚନ ହେଉନାହିଁ । ରାଜ୍ୟ ସରକାର ବହୁ ବିଳମ୍ବରେ ସମବାୟ ସମିତିର ନିର୍ବାଚନ କରୁଛନ୍ତି । 2 ବର୍ଷ ବିଳମ୍ବରେ ନିର୍ବାଚନ କରିବା ପାଇଁ ସରକାର ଚିନ୍ତା କଲେ । ପଞ୍ଚାୟତ ଓ ପୌର ନିର୍ବାଚନରେ କଳଧନ ଖର୍ଚ୍ଚ କରି ଜିତିଗଲା ପରେ ଏବେ ସମବାୟ ନିର୍ବାଚନ କରିବା ପାଇଁ ଯାଉଛନ୍ତି । ସରକାର ନିଜକୁ ସୁହାଇଲା ପରି ନିର୍ବାଚନ କରୁଥିବା କଥା ଅଭିଯୋଗ କରିଛି ବିଜେପି ।
ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି କଳା ଟଙ୍କା ବ୍ୟବହାର କରି ଇଏ ଯେଉଁ ପ୍ରକାର ନିର୍ବାଚନ ଲଢୁଛନ୍ତି ତାହା ଜନସାଧାରଣ ପାଖରେ ଗୋଟିଏ ବଡ଼ ପ୍ରଶ୍ନ ହୋଇ ରହିଯିବ । ବିଜେପି ପୂର୍ବରୁ ଦୁଇ ଦୁଇଟି ନିର୍ବାଚନ ଲଢ଼ିଛି ଏବଂ ଏବେ ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି । ରାଜ୍ୟ ଅନ୍ତଃକନ୍ଦଳ ପ୍ରସଙ୍ଗରେ ମୋହନ କହିଛନ୍ତି, ରାଜ୍ୟରେ ଦଳର କିଏ ଦାୟିତ୍ୱ ନେବେ ସେନେଇ କୌଣସି ପ୍ରତିଦ୍ବନ୍ଦିତା ନାହିଁ । ରାଜ୍ୟ ସଭାପତି ରାଜ୍ୟ ବିଜେପିକୁ ସମ୍ଭାଳୁଛନ୍ତି । ରାଜ୍ୟ ପ୍ରଭାରୀ ମଧ୍ୟ ନିଜର କାମକୁ ଠିକରେ କରୁଛନ୍ତି ।
2024କୁ ନଜରରେ ରଖି ସମସ୍ତେ କାର୍ଯ୍ୟ କରୁଛନ୍ତି । ରାଷ୍ଟ୍ରୀୟ ଦଳ ହିସାବରେ ଦଳର ସର୍ବୋଚ୍ଚ ନେତା ଯାହା ନୀତି ନିର୍ଦ୍ଧାରିତ କରିବେ ତାହାକୁ ନେଇ ଦଳ 2024 ନିର୍ବାଚନ ମଇଦାନକୁ ଓହ୍ଲାଇବ ।
ଧର୍ମେନ୍ଦ୍ର ପ୍ରଧାନ ପ୍ରସଙ୍ଗ ଓଡିଶା ନେତୃତ୍ବ ନେବା ପ୍ରସଙ୍ଗରେ ମୋହନ ମାଝୀ କହିଛନ୍ତି ଯେ, ଭାରତର 100 ଚର୍ଚ୍ଚିତ ଚେହେରା ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ 18 ନମ୍ବର ସ୍ଥାନରେ ରହିଛନ୍ତି । ସାରା ଦେଶରରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ବିଭିନ୍ନ ରାଜ୍ୟର ସେ ନେତୃତ୍ବ ନେଉଛନ୍ତି । ତେଣୁ ଓଡ଼ିଶାର ନେତୃତ୍ୱ ନେବାରେ କିଛି ଦ୍ବିମତ ନାହିଁ । ରାଷ୍ଟ୍ରୀୟ ଦଳ ହିସାବରେ ଦଳର ସର୍ବୋଚ୍ଚ ନେତା ଯାହା ନିର୍ଦ୍ଧାରିତ କରିବେ ତାହା ହିଁ ଦଳ କରିବ ବୋଲି ସେ ଜଣାଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ