ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହଙ୍ଗା ଭତ୍ତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି(State govt hiked DA) । ଏହାଦ୍ବାରା ରାଜ୍ୟ ସରକାରଙ୍କ ମୋଟ୍ ୭.୫ ଲକ୍ଷ କର୍ମଚାରୀ ଉପକୃତ ହେବେ । ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଏହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ହୋଇଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ବିଜେପି(BJP leader Mohan Majhi alleges State govt) ।
ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ଏକ ଭେଟି ନୁହେଁ ବରଂ ସରକାରଙ୍କ ଏକ ରାଜନୈତିକ ଚାଲ୍ ବା ଚଞ୍ଚକତା । ପୂଜା ପର୍ବ ଆସିଲେ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରାଯାଉଛି । କାରଣ ଏଭଳି କରିବା ଦ୍ୱାରା ରାଜନୈତିକ ମାହୋଲ ଚଳଚଞ୍ଚଳ ହେବ । ଏହା ଆଗାମୀ ନିର୍ବାଚନରେ ଶାସକ ଦଳକୁ ସୁହାଇବ । ସରକାର ଜାଣି ଜାଣି ମାଇଲେଜ ନେବା ପାଇଁ ଏଭଳି କରୁଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ପ୍ରଣୋଦିତ । ଏଥିରେ କାହାର କୌଣସି ଲାଭ ନାହିଁ । କେବଳ ସରକାର ସମସ୍ତଙ୍କ ପାଖରେ ନିଜର ସକ୍ରିୟତାକୁ ଜାହିର କରିବା ପାଇଁ ଏଭଳି କରି ଲୋକମାନଙ୍କୁ ନିଜର ରାଜନୈତିକ ଫାଶ ଭିତରକୁ ଟାଣୁଛନ୍ତି । ମହାଙ୍ଗ ଭତ୍ତା ବୃଦ୍ଧି କରିବାର ଏହା ଉପଯୁକ୍ତ ସମୟ ନୁହେଁ ।"
ଏହା ବି ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୩ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ୨୦୨୨ରୁ ପିଛିଲା ଭାବରେ ଲାଗୁ ହେବ । ସଂଶୋଧିତ ହାରରେ ପେନ୍ସନ୍ ପାଉଥିବା ପେନ୍ସନ୍ ଭୋଗୀଙ୍କ ଟିଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । କର୍ମଚାରୀ ଓ ପେନ୍ସନ୍ଭୋଗୀମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବା ସହିତ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ । ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ଏହା ବି ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି, ଘେରିଲା କଂଗ୍ରେସ
ଗତବର୍ଷ ନୂଆ ବର୍ଷ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଥିଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହି ମହଙ୍ଗା ଭତ୍ତାକୁ ଗତ ଜୁଲାଇ ୨୦୨୧ରୁ ପିଛିଲା ଭାବରେ ଲାଗୁ ହୋଇଥିଲା । ସପ୍ତମ ବେତନ କମିଶନ ୩୦ ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କର୍ମଚାରୀମାନେ ସପ୍ତମ ବେତନ କମିଶନ ଅନୁଯାୟୀ, ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି ।
ଇଟିଭଇ ଭାରତ, ଭୁବନେଶ୍ବର