ଭୁବନେଶ୍ବର: ନୀତିଶ କୁମାରଙ୍କ ଓଡ଼ିଶା ଗସ୍ତ ଚର୍ଚ୍ଚା । ବିରୋଧୀଙ୍କୁ ଏକାଠି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ବୋଲି ଆଲୋଚନା ହେଉଛି । ତେବେ ଏହାକୁ ନେଇ ନବୀନ କିମ୍ବା ନୀତିଶ କୁମାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ନୀତିଶ୍ଙ୍କୁ ବିଜେପିର କଟାକ୍ଷ । ନୀତିଶଙ୍କୁ କଟାକ୍ଷ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ନୀତିଶଙ୍କ ଓଡ଼ିଶା ଗସ୍ତ ଆଲୋଚନାକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, "ନୂଆ ମୁଲ୍ଲା ପାଞ୍ଚ ଥର ନମାଜ ପଢିବା ଭଳି ନୀତିଶ କୁମାର ମୋଦି ବିରୋଧୀ ହେବାରେ ଶେଷତମ ବ୍ୟକ୍ତି । ତେଣୁ ସେ ଏହିଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ଏହିଭଳି 2014ରୁ ୧୦ ଥର ଅସଫଳ ଉଦ୍ୟମ ଦେଖିଆସିଛୁ । ନୀତିଶ କୁମାର ଏବେ ନୂଆ ଉଦ୍ୟମ କରୁଛନ୍ତି । ତାଙ୍କ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ଉପରେ ଆଞ୍ଚ୍ ମଧ୍ୟ ଆସିବ ନାହିଁ । ଦେଶର ଲୋକେ ମୋଦିଙ୍କ ସହିତ ଅଛନ୍ତି । ବିଜେଡି ତୃତୀୟ ସାମୁଖ୍ୟରେ ଯୋଗ ଦେଉ, ନୀତିଶ କୁମାରଙ୍କ ସହିତ ନାରା ଦେଉ । ଦେଶର ଆଞ୍ଚଳିକ ଦଳ ଦୁର୍ନୀତି, ଅତ୍ୟାଚାରରେ ବୁଡି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ସେମାନେ ଏକାଠି ହୋଇ ସରକାର ଗଠନ କରିବା ହାସ୍ୟାସ୍ପଦ କଥା ।"
ଏହା ବି ପଢ଼ନ୍ତୁ: ଓଡିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ, ନବୀନ ଓ ନୀତିଶ ଭେଟଘାଟ ନେଇ ଚର୍ଚ୍ଚା
NDA ସରକାରଙ୍କ ବିରୋଧରେ ମେଳି ହେଉଛନ୍ତି ବିଭିନ୍ନ ବିରୋଧୀ ଦଳ । 2024 ନିର୍ବାଚନ ପୂର୍ବରୁ ନୂଆ ସମୀକରଣ ନେଇ ଜାତୀୟ ରାଜନୀତିରେ ଅଙ୍କକଷା ଚାଲିଛି । NDAରୁ ବାହାରି ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବାପରେ ରାଜନୀତି ଜୋର ଧରିଛି । NDAରେ ସାମିଲ ନଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟୁଛନ୍ତି । ଏନଡିଏ ତଥା ମୋଦୀଙ୍କ କଟ୍ଟର ବିରୋଧୀ ଭାବେ ପରିଚିତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍ ଅର୍ଥାତ କେ ଚନ୍ଦ୍ରଶେଖର ରାଓ ପାଟଣା ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି । ହରିଆନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା ମଧ୍ୟ ନୀତିଶଙ୍କୁ ଭେଟିଛନ୍ତି ।
ସେପଟେ ଦୁଇଦିନ ତଳେ ନୀତିଶ କୁମାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଭେଟିଛନ୍ତି ନୀତିଶ । ଏହି କ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଭେଟିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନୀତିଶ ଭେଟିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର