ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିକାଶର ଜବାବ ମାଗିଲା ବିଜେପି । ରାଜଧାନୀରେ ରାସ୍ତା ସମସ୍ୟାକୁ ନେଇ ରବିବାର ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା କରାଯାଇଥିଲା । ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ବହୁ ବିଜେପି କର୍ମକର୍ତ୍ତା ଏହି ବାଇକ ଶୋଭାଯାତ୍ରା ଯୋଗ ଦେଇଥିଲେ ।
ଶାସକ ଦଳ ବିରୋଧରେ ନାରା ଦେଇ ଭୁବନେଶ୍ବରର କଲ୍ୟାଣପୁରଠାରୁ ବାହାରି ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଚାଲିଥିଲା । ୨୨ ବର୍ଷର ଶାସନ ପରେ ବି ଖୋଦ୍ ରାଜଧାନୀ ଉପକଣ୍ଠରେ ରାଜ୍ୟ ସରକାର ରାସ୍ତା ସମସ୍ୟା ଦୂର କରି ପାରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଲିଙ୍ଗୀପୁରଠାରୁ କଲ୍ୟାଣପୁର ଶାସନ ପର୍ଯ୍ୟନ୍ତ ଦୟାନଦୀ ବନ୍ଧ ରାସ୍ତାର ସମ୍ପୁର୍ଣ୍ଣ ପ୍ରଶସ୍ତିକରଣ, ଉନ୍ନତିକରଣ ଏବଂ ଆଲୋକୀକରଣ ଦାବି ହୋଇ ଆସୁଛି । ଏହି ଦାବି ନେଇ ପୂର୍ବରୁ ବାରମ୍ବାର ସ୍ଥାନୀୟ ଗାଁ ଲୋକ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛନ୍ତି । ହେଲେ କିଛି ଲାଭ ମିଳି ପାରିନି ।
ଯଥାଶୀଘ୍ର ଏହି ଅଞ୍ଚଳର ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛି ବିଜେପି । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି । ସେପଟେ ରବିବାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମତିଥି ଥିବାରୁ ଆକ୍ରୋଶମୂଳକ ଭାବରେ ଏହି ରାଲି କରାଯାଇଥିବା ଆଲୋଚନା ହୋଇଛି । ତେବେ ଏହାକୁ ନେଇ ବିଜେପି କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ । 77 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ତାଙ୍କ ପ୍ରଶଂସକମାନେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । 77 ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟ ନେତା ଭାବେ ସ୍ବଳ୍ପଭାଷୀ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ତାଙ୍କ ନାଁରେ ଓଡିଶାକୁ ସର୍ବାଧିକ କାଳ ଶାସନ କରିଥିବାର ରେକର୍ଡ ରହିଛି ।