ଭୁବନେଶ୍ବର: ପୁରୀ ମାଉସୀମା ମନ୍ଦିରରୁ ଡକାୟତି ଘଟଣା । ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ବର୍ତ୍ତମାନ ସ୍ଵୟଂ ଭଗବାନ ମଧ୍ୟ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ, ଅପରାଧୀଙ୍କୁ ସୁରକ୍ଷା ଏବଂ ଅବାଧ ନିଶା ବେପାର ହିଁ ମୁଖ୍ୟ କାରଣ ବୋଲି ବିଜେପି ଅଭିଯୋଗ କରିଛି । ଚୋରୀ ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ କଡା ଆଭିମୁଖ୍ୟ ଗ୍ରହଣ କରି ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ କରନ୍ତୁ ବୋଲି ବିଜେପି ଦାବି କରିଛି । ପୁରୀ ମାଉସୀମା ମନ୍ଦିରରୁ ବୁଧବାର ରାତିରେ ଡକାୟତମାନେ ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା, ରୁପା ଆଦି ଗହଣା ଅଳଙ୍କାର ଚୋରି କରି ନେଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନିନ୍ଦନୀୟ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।
ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଦିନ ଦ୍ବିପ୍ରହରରେ ଛିନତାଇ, ଲୁଟ, ଡକାୟତି, ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟି ଚାଲିଛି । ପୋଲିସ ପ୍ରତି ଅପରାଧୀଙ୍କ ଆଉ ଭୟ ନାହିଁ । ନିର୍ଭୟରେ ଅପରାଧୀମାନେ ଅପରାଧ କରିଚାଲୁଛନ୍ତି । ରାଜ୍ୟର ମା, ଭଉଣୀ, ବୁଦ୍ଧ, ବୃଦ୍ଧାମାନେ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ବର୍ତ୍ତମାନ ସ୍ଵୟଂ ଭଗବାନ ମଧ୍ୟ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ପୃଥୀରାଜ କହିଛନ୍ତି ।
ପ୍ରତିଦିନ ଖବରକାଗଜରେ ମନ୍ଦିରରୁ ଚୋରୀ ଘଟଣା ସମ୍ବାଦ ପଢିବାକୁ ମିଳୁଛି । ଗତବର୍ଷ ଡିସେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ଦୁର୍ଲଭ ଅଷ୍ଟଧାତୁ ନିର୍ମିତ ମୁର୍ତ୍ତି ଚୋରୀ ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ସେହିପରି ଜାନୁଆରୀ ମାସରେ ପିପିଲି ଅନ୍ତର୍ଗତ କୁକୁଡିଆ ଗ୍ରାମସ୍ଥିତ ବିଖ୍ୟାତ ଗୋପିନାଥ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । ଅତୀତରେ ନବକଳେବର ବିଭ୍ରାଟ, ରତ୍ନଭଣ୍ଡାର ବିଭ୍ରାଟ, ଦାରୁବିଭ୍ରାଟ ଭଳି ଘଟଣାରୁ ରାଜ୍ୟ ସରକାର କୌଣସି ଶିକ୍ଷା ଲାଭ କରିନାହାନ୍ତି ।
ମାଉସୀମା ମନ୍ଦିରରୁ ଚୋରୀ ଘଟଣା ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତାକୁ ପୁଣି ଥରେ ପଦାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅପରାଧୀମାନେ ଅପରାଧ ଭିଆଉଛନ୍ତି । ଶାସକ ବିଜେଡିର ସଂପୃକ୍ତି ଥିବାରୁ ରାଜ୍ୟ ସରକାର ଏଭଳି ମନ୍ଦିର ଚୋରି ଘଟଣାକୁ ରୋକିବା ପାଇଁ ଗୁରୁତ୍ବ ଦେଉନାହାନ୍ତି ବୋଲି ପୃଥୀରାଜ ଅଭିଯୋଗ କରିଛନ୍ତି । ଏହାସହ ମନ୍ଦିର ଚୋରି ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ