ଭୁବନେଶ୍ବର: ଫନିର ତାଣ୍ଡବ ଯୋଗୁଁ ଏବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲୋକେ ଅନ୍ଧାରରେ ଦିନ ବିତାଉଛନ୍ତି । ଗୋଟିଏ ପଟେ ସାଧାରଣ ଜନତା ଖାଦ୍ୟ ଏବଂ ପାଣି ପାଇଁ ସଂଘର୍ଷ କରୁଛନ୍ତି । ଆଉ ଅନ୍ୟପଟେ ନେତାଙ୍କ ପାଇଁ ବଡ ପ୍ରସଙ୍ଗ ପାଲଟିଛି ପାଟକୁରା ନିର୍ବାଚନ । ପାଟକୁରା ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ନିର୍ବାଚନ ଘୁଞ୍ଚାଇବା ବିଜେଡିର ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛି ଦଳ ।
ରାଜ୍ୟ ସରକାର ଜାଣିସୁଣି ପାଟକୁରା ନିର୍ବାଚନକୁ ୨ ମାସ ଘୁଞ୍ଚାଇବା ସହ ବିଜୁ ଯୁବ ବାହିନୀର ମୁଖ୍ୟ ପ୍ରେମାନନ୍ଦ ଚୌଧୁରୀଙ୍କୁ କେନ୍ଦ୍ରାପଡ଼ାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ କିପରି ପାଟକୁରା ପାଇଁ ପ୍ରେମାନନ୍ଦଙ୍କୁ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଲେ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଏହି ପରିପେକ୍ଷୀରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ଏହା ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ