ଭୁବନେଶ୍ବର: ପାଟକୁରା ନିର୍ବାଚନରେ ଜିତାପଟ୍ ପାଇଁ ଅନୈତିକ ଓ ଅଗଣତାନ୍ତ୍ରିକ ପନ୍ଥା ଆପଣାଇଛି ଶାସକ ବିଜେଡି । ନିର୍ବାଚନ ସମୟରେ ବୁଥ୍ ରିଗିଂ ସହ ମତଦାନ ସରିବା ପରେ ଇଭିଏମ୍ ଅଦଳବଦଳ କରିଥିବା ବିଜେପି ଅଭିଯୋଗ କରିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏପରି ଅଭିଯୋଗ କରିବା ସହ ପ୍ରିଜାଇଡିଂ ଅଫିସରମାନେ ଠିକ୍ରେ ଇଭିଏମ୍ ସିଲ୍ ନକରି ଶାସକ ଦଳକୁ ଏପରି କରିବାକୁ ସୁଯୋଗ ଦେଇଥିବା କହିଛନ୍ତି ।
ଗତକାଲି(ଶନିବାର) ପାଟକୁରାରେ ନିର୍ବାଚନ ହୋଇଛି । ତେବେ ଏହି ନିର୍ବାଚନ ସମୟରେ ବ୍ୟାପକ ଅନିୟମିତତା ଶାସକ ଦଳର କର୍ମୀଙ୍କ ପକ୍ଷରୁ ହୋଇଥିବା ବିଜେପି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ଏନେଇ ଦଳ ସିଇଓ, ଅବଜରଭର ଓ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ କରିଥିବା କହିଛି ।
ମତଦାନ ଆରମ୍ଭ ହେବା ପରେ 100ରୁ ଅଧିକ ଇଭିଏମ୍ ପ୍ରିଜାଇଡିଂ ଅଫିସରଙ୍କ ନିଜ ପାଖରେ ଥିଲା, ଯାହାକି କାନୁନ ବିରୁଦ୍ଧ ବୋଲି ବିଜେପି କହିଛି । ମତଦାନ ସମୟରେ ଅନେକ ସ୍ଥାନରେ ଶାସକ ଦଳ କର୍ମୀ ରିଗିଂ କରିବାକୁ ଉଦ୍ୟମ କରିଥିବା ମଧ୍ୟ ଦଳ ପକ୍ଷରୁ କୁହାଯାଇଛି । କିଛି ପ୍ରିଜାଇଡିଂ ଅଫିସର ଠିକ୍ରେ ଇଭିଏମ୍ ସିଲ୍ ନକରି ଷ୍ଟ୍ରଙ୍ଗ୍ ରୁମକୁ ନେଇଥିବା ଲେଖାଶ୍ରୀ କହିଛନ୍ତି । ଏହା ସହ ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ ଇଭିଏମକୁ କେନ୍ଦ୍ରାପଡା କଲେଜ ପରିସରରେ ବଦଳ କରାଯିବାର ଉଦ୍ୟମ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେ ଦର୍ଶାଇଛନ୍ତି ।
ସେହିପରି ସବୁ ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ରେ ପହଞ୍ଚିଥିବାବେଳେ ଦୁଇଟି ବୁଥ୍ 220 ଓ 294ର ଇଭିଏମ୍ର ସ୍ଥିତି କଣ ତାହା ଜଣାପଡିନଥିବା କହିଛନ୍ତି ବିଜେପି ନେତ୍ରୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ