ଭୁବନେଶ୍ବର: ‘ଓଡିଶାବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରୁ ପୁଣି ବିଜୁ ଜନତା ଦଳ ରାଜ୍ୟରେ ଶାସନ ଭାର ସମ୍ଭାଳିଛି । ଲୋକଙ୍କ ସ୍ନେହ,ଶ୍ରଦ୍ଧା,ଭଲପାଇବ ମୋତେ ଅଭିଭୂତ କରିଛି । ବିଜୁବାବୁ ଅସୁବିଧା ସମୟରେ ଲୋକଙ୍କ ପାଖେ ପହଞ୍ଚୁଥିଲେ । ଓଡ଼ିଶା ମୋ ପରିବାର । ବିଜୁ ଜନତା ଦଳର ନେତା କର୍ମୀ ସମସ୍ତେ ଲୋକଙ୍କ ଶ୍ରଦ୍ଧାଭାଜନ ହୁଅନ୍ତୁ । ଲୋକଙ୍କ ସୁବିଧା ଅସୁବିଧାରେ ଛିଡା ହୁଅନ୍ତ । ଆକ୍ଟିଭ ହୋଇ କାମ କରନ୍ତୁ ’’। ବିଜେଡି ପଦଯାତ୍ରାର ଶେଷ ଦିନରେ ଏଭଳି ଉଦବୋଧନ ଦେଇ କର୍ମୀଙ୍କୁ ଜନତାଙ୍କ ସେବା କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗୁରୁବାର ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ସାଲିଆ ସାହି ୧୬ ନଂ ୱାର୍ଡରେ ବିଜେଡି ପଦଯାତ୍ରା ଅନ୍ତିମ ଦିବସ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଭାଇ, ଭଉଣୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇ ଲୋକଙ୍କ ମନୋବଳ ବଢାଇଛନ୍ତି । ତାଙ୍କ ପଥଅନୁସରଣ କରି ଆଗକୁ ବଢିବୁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରଣ୍ଡି ।
ସାଧାରଣ ଲୋକଙ୍କ ପାଖେ ପହଞ୍ଚି ସଫଳତାର ମନ୍ତ୍ର ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କଥାରେ ସହମତ ରଖି ମୁଖ୍ୟମନ୍ତ୍ରୀ ଲୋକଙ୍କ ନିକଟତର ହୋଇ ସେବା କରିବାକୁ ପଡିବ ବୋଲି ଉତ୍ତର ଭୁବନେଶ୍ବରର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି ।
ସୂଚନା ଥାଉ କି ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହା ଆଜି (ଗୁରୁବାର) ଶେଷ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ