ଭୁବନେଶ୍ବର: ମିଥ୍ୟା ଏବଂ ଭିଭିହୀନ ବିବୃତି ଦେବା, ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଓଡିଶା ବିଜେପିର ଏହା ଅଭ୍ୟାସଗତ ହୋଇଗଲାଣି । ଏ ନେଇ ସିଧାସଳଖ ବିଜେପିକୁ ସମାଲୋଚନା କରିଛି ବିଜେଡି ।
ଶନିବାର ପୂର୍ବାହ୍ନରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବିଧାୟକ ବିଷ୍ଣୁ ସେଠୀ ଜଣେ ଅପରାଧୀଙ୍କୁ ସମର୍ଥନ କରିଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ୍ କହିଛନ୍ତି ଯେ ବିଜେପି ଯେଉଁ ତୁମ୍ବନାଥ ସୁବୁଦ୍ଧିଙ୍କ ରକ୍ଷା ପାଇଁ ଆଗକୁ ଆସିଛି । ସେହି ତୁମ୍ବନାଥଙ୍କର ଆହୁରି ଅନେକ ଅପରାଧିକ ମାମଲା ରହିଛି । ୨୦୧୦ ମସିହା ଜୁଲାଇ ୨୨ରେ ଧୂର ସାମିଲ ହତ୍ୟା ମାମଲାରେ ତୁମ୍ବନାଥଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ବ୍ରହ୍ମପୁର ଥାନା ବଡବଜାରସ୍ଥିତ ନଗର ସାହିରେ ଘଟିଥିଲା । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ସର୍କଲ ଜେରୁ ଏମ୍କେସିଜିକୁ ପଠାଯାଇଥିଲା । ଚିକିତ୍ସାଧୀନ ଥିବାବେଳେ ୩ ନଭେମ୍ବର ୨୦୧୦ରେ ସେ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ହସ୍ପିଟାଲରୁ ଫେରାର ହୋଇଯାଇଥିଲା । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅମାନୁଷିକ ଆକ୍ରମଣ ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ ସେ ଜଡିତ ।
ଗତ ମାସ ୧୪ରେ ସେ ପୁରୀ ଶ୍ରୀମନ୍ଦିର ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ପବିତ୍ର ରୋହିଣୀ କୁଣ୍ଡର କାଠ ଘୋଡଣିକୁ ଜବରଦସ୍ତ କାଢି ଦେଇଥିଲା । ଯେଉଁମାନେ ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ସେ ସେମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏପରି କାର୍ଯ୍ୟକଳାପ ପାଇଁ ତାକୁ ଗିରଫ କରାଯାଇଥିଲା । ଏହି ତୁମ୍ବନାଥ ସୁବୁଦ୍ଧି ତାହାର ଦୀର୍ଘ ଅପରାଧିକ କାର୍ଯ୍ୟକଳାପ ପାଇଁ ବେଶ୍ ଜଣାଶୁଣା ।
ଯଦି ଓଡିଶା ବିଜେପି ଏଭଳି ଜଣେ ଅପରାଧିକୁ ସହାୟତା କରୁଥାଏ, ତେବେ ଏଥିରେ କୌଣସି ନୂତନତ୍ୱ ନାହିଁ । କାରଣ ଅତୀତରେ ଏହି ଦଳ ଧଳସାମନ୍ତ ଭାଇଙ୍କଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟାର ଟିଟୋ ଓ ଅନ୍ୟ ଅପରାଧଙ୍କୁ ସମର୍ଥନ କରିବାର ବହୁ ନଜିର ରହିଛି ।
ସେମାନେ ଲୋକଙ୍କ ଧାର୍ମିକ ଭାବନାକୁ ପ୍ରଜ୍ବଳିତ ନ କରନ୍ତୁ । ଶାନ୍ତିପୂର୍ଣ୍ଣ ଓଡ଼ିଶାକୁ ଉତ୍ତର ପ୍ରଦେଶ କିମ୍ବା ବିହାରରେ ପରିଣତ କରିବାକୁ ଚେଷ୍ଟା ନକରନ୍ତୁ । ଭାଇଚାରା ଓ ସହନଶୀଳତାର ରାଜ୍ୟ ଭାବେ ଜଣାଶୁଣା ଶାନ୍ତିପ୍ରିୟ ଓଡିଶାର ଲୋକ । ବିଜେପିର ଏଭଳି ଅପରାଧୀଙ୍କୁ ସମର୍ଥନ କରିବା ନୀତିକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଲେନିନ ଚେତାଇ ଦେଇଛନ୍ତି ।
ବୈଷ୍ଣବ ପୁରୀ ନାଗା ସାଧୁଙ୍କ ସପକ୍ଷରେ ଆଜି ବିଜେପି ନେତା ବିଷ୍ଣୁ ସେଠୀ ବାହାରିଥିଲେ । ତାଙ୍କୁ ପାଗଳ କରାଯାଉଥିବା ନେଇ ବିଷ୍ଣୁ ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ