ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି,ରାଜନୈତିକ ଉଷ୍ମତା ସେତିକି ବଢି ବଢି ଚାଲିଛି । ବିଜେପି ନେତାମାନେ ଆଚରଣ ବିଧି ଉଲ୍ଲଙ୍ଘନ କରିବା ସତ୍ତ୍ବେ କାର୍ଯାନୁଷ୍ଠାନ ନେଉ ନାହାଁନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀବୋଲି ଅଭିଯୋଗ କରିଛି ବିଜେଡି । ବିଜେପି ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ ସିଇଓଙ୍କୁ ଟାର୍ଗେଟ କରିଛି ବିଜେଡି।
ବିଜେଡି ଅଭିଯୋଗ ଆଣି କହିଛି ଯେ, ୧୧ଟି ପ୍ରସଙ୍ଗରେ ବର୍ତ୍ତମାନ ଯାଏଁ ସିଇଓଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଶୁଣୁ ନାହାଁନ୍ତି ବରଂ ବିଜେପି ନେତାଙ୍କ ଚାପରେ ପ୍ରଭାବିତ ସିଇଓ । ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କର୍ତ୍ତବ୍ୟରତନିର୍ବାଚନ ଅଧିକାରୀ ତଥା କର୍ମଚାରୀଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି । ଅନ୍ୟପକ୍ଷେ ସିଇଓ ନୀରବ ବସିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଏହାସହ ଦଳ ତରଫରୁ କୁହାଯାଇଛି ଯେ, ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀଙ୍କ ହୋଡିଂ ଲାଗିଛି କିନ୍ତୁ ଖୋଲା ଯାଉନି । ସୀମା ଚେକିଂ ବେଳେ ଟଙ୍କା ଜବତ କରାଯାଉଛି କିନ୍ତୁ ଅଭିଯୁକ୍ତଙ୍କୁ ଛାଡି ଦିଆଯାଉଛି । କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି ସିଇଓ ବୋଲି ବିଜେଡି ପକ୍ଷରୁ ଅଭିଯୋଗ ଅଣାଯାଇଛି। ଜାଲ ଗୁଇନ୍ଦା ରିପୋର୍ଟ ପ୍ରକାଶ କରିଥିଲା ବିଜେପି ମାତ୍ର ସିଇଓ କାର୍ଯ୍ୟନୁଷ୍ଠାନ ନେଇ ନାହାନ୍ତି।
ଉଜ୍ଜ୍ବଳା ଯୋଜନା ଅନର୍ଗତ ନୂଆ କନେକ୍ସନ ଦିଆଯାଉଛି। କିଟରେ ବିଜେପିର ଚିହ୍ନ ରହୁଛି । ବିଭିନ୍ନ ଯୋଜନା ନାଁରେ ବ୍ୟକ୍ତିଗତ ତଥ୍ୟ ଚୋରି କରୁଛି ବିଜେପି । ଦୂରଦର୍ଶନକୁ ଦଳୀୟ ପ୍ରଚାର ପାଇଁ ପରୋକ୍ଷରେ ବ୍ୟବହାର କରୁଛି ବିଜେପି । ସ୍କିଲ ଇଣ୍ଡିଆ ନାଁରେ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ କରୁଛନ୍ତି । ଏଥିପାଇଁ ସିଇଓ କୌଣସି କାର୍ଯାନୁଷ୍ଠାନ ନେଉନାହାଁନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ କାଳିଆ ଯୋଜନାର ୨ୟ ପର୍ଯ୍ୟାୟଟଙ୍କା ଅଟକାଇଛନ୍ତି ସିଇଓ । ଅନ୍ୟପକ୍ଷେ ପିଏମ କିଷାନ ଯୋଜନା ଏବେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଆଗାମୀ ଦିନରେ ୨୦ ଲକ୍ଷ ଚାଷୀ ଏହାର ଜବାବ ଦେବେ। ସିଇଓଙ୍କୁ ଅନୁରୋଧ କରି ସେ କହିଛନ୍ତି ଯେ ନିରପେକ୍ଷ ଭାବେ କାର୍ଯ୍ୟ କରନ୍ତୁ ନଚେତ ଖୁବଶୀଘ୍ର ଏହାକୁ ନେଇ ଜାତୀୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଅବଗତ କରାଯିବ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ନ୍ୟୁଜ