ଭୁବନେଶ୍ବର: ପ୍ରତିବାଦ, ବିକ୍ଷୋଭ, ଆନ୍ଦୋଳନ ଘେରାରେ ରାଜଧାନୀ ଭୁବନେଶ୍ବର । କେତେବେଳେ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ ତ ଆଉ କେତେବେଳେ ଅଟୋ ଡ୍ରାଇଭର ସଙ୍ଘଙ୍କ ବିକ୍ଷୋଭ । ଏହା ମଧ୍ୟରେ ବିକ୍ଷୋଭ ଯାତ୍ରାରେ ସାମିଲ ହୋଇଛି ବିଜେଡି । ଅହେତୁକ ତୈଳଦର ବୃଦ୍ଧି ସାଙ୍ଗକୁ ରାସନ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି ।
ବିଜେଡି ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ରାଲି କରିଛନ୍ତି । ଗତକାଲି(ଶନିବାର) ସାମ୍ବାଦିକ ସମ୍ମିଳନୀରେ ବିକ୍ଷୋଭ ନେଇ ଘୋଷଣା କରିଥିଲା ବିଜେଡି । ଏହିକ୍ରମରେ ଆଜି ଭୁବନେଶ୍ବର କେଶରୀ ହଲ ନିକଟରୁ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ । ରନ୍ଧନ ଗ୍ୟାସ ଦରବୃଦ୍ଧି, ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ବିରୋଧ କରିଛି ଆନ୍ଦୋଳନ କରିଛି ବିଜେଡି ।
ଏଥିପାଇଁ କେନ୍ଦ୍ର ସରକାର ଦାୟୀ ବୋଲି ବିଜେଡି ଅଭିଯୋଗ କରିବା ସହ ଆର୍ଥିକ ପରିଚାଳନାରେ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି କହିଛି । ତେଣୁ ଏହାର ପ୍ରତିବାଦରେ ଆନ୍ଦୋଳନ ତୀବ୍ର କରିବ ବିଜେଡି । ଆସନ୍ତା ୫ ରୁ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପରେ ବିଜେଡି ଯୁବ ଓ ଛାତ୍ର ସଂଗଠନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ଦଳ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ