ରାୟଗଡ଼ା: ତୈଳଦର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ଲାଇଲେ ମହିଳା ବିଜୁ ଜନତା ଦଳ । ଏହାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ରାୟଗଡ଼ା ମହିଳା ବିଜେଡି । ଆଜି ରାୟଗଡ଼ା ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ରାୟଗଡାରେ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଏବଂ ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ମାଝିଙ୍କ ନେତୃତ୍ୱରେ ଶତାଧିକ ମହିଳା ପ୍ରଥମେ ଗଜପତି ଛକରେ ପ୍ରତିବାଦ କରିଥିଲେ ।
ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେଡି ପକ୍ଷରୁ କେନ୍ଦ୍ର ସରକାର ତୁରନ୍ତ ଦର ବୃଦ୍ଧି ପ୍ରତ୍ୟାହାର କରିବା ଦାବିରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରଯାଇଛି । ଦିନକୁ ଦିନ ତୈଳ ଦର ବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ସିଧାସଳଖ ହାଣ୍ଡିଶାଳା ପ୍ରଭାବିତ ହୋଇଛି । ଯାହାକୁ ନେଇ ତାତିଛନ୍ତି ମହିଳା । ଏହି ପରିପ୍ରେକ୍ଷିରେ ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଉଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ