ଭୁବନେଶ୍ବର: ଆସନ୍ତାକାଲିଠୁ ଚାଲିବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକ(observers) ବୈଠକ ଡାକିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । 3 ଦିନ ଧରି ନବୀନ ନିବାସରେ ଚାଲିବ ଫେସ୍ ଟୁ ଫେସ୍ ଆଲୋଚନା । 2024 ସାଧାରଣ ନିର୍ବାଚନ ପୂର୍ବରୁ ଘର ସଜାଡିବାକୁ ବିଜେଡିର ଏହା କସରତ ବୋଲି କୁହାଯାଉଛି । ସଂଗଠନକୁ ମଜବୁତ କରିବା ସହ ଦଳରେ ଥିବା ଫାଟରେ ପ୍ୟାଚ୍ ପକାଇବାକୁ ଚେଷ୍ଟା କରିବ ଦଳ ।
ଏଥିପାଇଁ ବିଜେଡି ସୁପ୍ରିମୋ ଡାକିଛନ୍ତି ପର୍ଯ୍ୟବେକ୍ଷକଙ୍କ ବୈଠକ । ନିଜ ନିଜ ଜିଲ୍ଲାରେ ଦଳର ସ୍ଥିତି ଓ ସଂଗଠନରେ ସମସ୍ୟା ବାବଦରେ ସୁପ୍ରିମୋଙ୍କ ନିକଟରେ ତଥ୍ୟ ରଖିବେ ପର୍ଯ୍ୟବେକ୍ଷକ । ଦଳରେ ଥିବା ଦ୍ଵନ୍ଦ ଦୂର କରିବା ସହ ସମନ୍ଵୟ ରକ୍ଷା କରିବାକୁ ଦଳୀୟ ସଭାପତିଙ୍କ ଠାରୁ ଟିପ୍ପ ନେବେ ପର୍ଯ୍ୟବେକ୍ଷକ । ପୌର ଓ ପଞ୍ଚାୟତ ନିର୍ବାଚନରେ ଦାଇତ୍ବରେ ଥିବା ନେତା ନିଜ ଅଞ୍ଚଳର ପ୍ରଦର୍ଶନ ବାବଦରେ ଦେବେ ସୂଚନା ।
ଯେଉଁ ଅଞ୍ଚଳରେ ଦଳ ଖରାପ ପ୍ରଦର୍ଶନ କରିଛି ତାହାର କାରଣ ବାବଦରେ ଅବଗତ କରିବେ ପର୍ଯ୍ୟବେକ୍ଷକ । ନିର୍ବାଚନ ଫଳାଫଳର ସମୀକ୍ଷା ସହ 2024 ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବ । ଆବଶ୍ୟକ ପଡିଲେ ପର୍ଯ୍ୟବେକ୍ଷକଙ୍କ ସୂଚନା ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ । ଦଳୀୟ କନ୍ଦଳ ଦୂର କରିବା ଲାଗି ବିଶୃଙ୍ଖଳିତ ନେତା କର୍ମୀଙ୍କ ବିରୋଧରେ ନିଆଯିବ ଷ୍ଟ୍ରଙ୍ଗ ଆକ୍ସନ । ପର୍ଯ୍ୟବେକ୍ଷକଙ୍କ ସହ ଫେସ ଟୁ ଫେସ କଥା ହେବେ ନବୀନ ।
ଜିଲ୍ଲାରେ ଥିବା ସଂଗଠନର ସଫଳତା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର ଟିପ୍ସ ଦେବେ ବିଜେଡି ସଭାପତି । ଅନ୍ୟପଟେ 2024 ନିର୍ବାଚନ ପ୍ରସ୍ତୁତି ଓ ସରକାରଙ୍କର ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ଫୋକସରେ ରହିବ । 3 ଦିନ ଧରି ଚାଲିବାକୁ ଥିବା ସମୀକ୍ଷା ବୈଠକରେ ବରିଷ୍ଠ ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ