ଭୁବନେଶ୍ବର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ରାଜ୍ୟରେ ଆରମ୍ଭ ହୋଇଯାଇଛି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କୁ ନେଇ ଶ୍ରେୟ ରାଜନୀତି । ବିଜେଡି ପ୍ରଚାର ଆଳରେ ନାଟକ କରୁଛି ବୋଲି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ କହିଛନ୍ତି । ଅନ୍ୟପଟେ କଂଗ୍ରେସ ଅଭିଯୋଗର ମଧ୍ୟ ଜବାବ ଦେଇଛନ୍ତି ମୋହନ ।
ମୋହନ କହିଛନ୍ତି ଯେ, ‘‘କେବଳ ବିଜୁ ଜନତା ଦଳ ଏକୁଟିଆ ଏନଡିଏ ବାହାରୁ ରହି ସମର୍ଥନ କରୁନାହିଁ । ଅନ୍ୟ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ବହୁଜନ ସମାଜବାଦୀ ପାର୍ଟି, ଅକାଳୀ ଦଳ, ଜେଏମଏମ ପ୍ରମୁଖ ସମର୍ଥନ ଦେଉଛନ୍ତି । ଏହା ସହ ବହୁ ଛୋଟ ଛୋଟ ରାଜନୈତିକ ଦଳ ଦ୍ରୌପଦୀଙ୍କୁ ସମର୍ଥନ ମିଳିଛି । ତେଣୁ ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ହେବା ପାଇଁ ବାଟ ଫିଟି ଯାଇଛି । ଯାହା ଓଡିଶା ପାଇଁ ଶୁଭ ସଂକେତ । ଦ୍ରୌପଦୀଙ୍କୁ ନେଇ ବିଜେଡି ଶ୍ରେୟ ନେବା ପାଇଁ ନାଟକ କରୁଛି । କିନ୍ତୁ ବିଜେପିକୁ ଏହାର ଫାଇଦା ମିଳିବ ବୋଲି ସେ କହିଛନ୍ତି । ତେଣୁ, ବିଜେଡି-ବିଜେପି ଭାଇ ଭାଇ କଥା କୁହାଯାଇପାରିବ ନାହିଁ । ଦ୍ରୌପଦୀ ଯେହେତୁ ଓଡ଼ିଶା ମାଟିର ଜଣେ ଆଦିବାସୀ ମହିଳା, ତେଣୁ ବିଜେଡି ତାଙ୍କୁ ସମର୍ଥନ କରିବାର ଯଥାର୍ଥତା ମଧ୍ୟ ରହିଛି । ସେ ଦୃଷ୍ଟିରୁ ବିଜେଡି ସମର୍ଥନ କରୁଛି । ଦ୍ରୌପଦୀଙ୍କୁ ସମର୍ଥନର ଅର୍ଥ କଦାପି ନୁହେଁ, ବିଜେଡି-ବିଜେପି ମଧ୍ୟରେ ଭିତିରି ବୁଝାମଣା ଅଛି ।’’
ମୋହନ କହିଛନ୍ତି, ‘‘ବିଜେପି ବିଶ୍ୱର ବୃହତମ ଦଳ । ଦେଶର ପ୍ରାୟ 19 ରାଜ୍ୟରେ ବିଜେପି ଓ ସହଯୋଗୀ ଦଳର ସରକାର ରହିଛି । ସବୁ ରାଜ୍ୟରେ ସରକାର ପ୍ରତିଷ୍ଠା ଲାଗି ବିଜେପି ଉଦ୍ୟମ ଜାରୀ ରଖିଛି । ବିଜେପି ନେତୃତ୍ୱରେ ଓଡ଼ିଶାରେ ସରକାର ଗଠନ କାର୍ଯ୍ୟକ୍ରମ ତଳସ୍ତରରେ ଜାରୀ ରହିଛି । ତାହା ଆଗାମୀ ଦିନରେ ପ୍ରତିଫଳିତ ହେବ । କଂଗ୍ରେସ ନେତୃତ୍ୱରେ ୟୁପିଏ ନିଜସ୍ୱ ପ୍ରାର୍ଥୀ ଦେଇଛି । ତେଣୁ କଂଗ୍ରେସ ସାଂସଦ ଓ ବିଧାୟକ କ୍ରସ ଭୋଟ ହେବେନାହିଁ । କିମ୍ବା ଅନ୍ୟ ଦଳର ସମର୍ଥିତ ପ୍ରାର୍ଥୀକୁ ଭୋଟ ଦେବେ, ଏହା ବିରଳ ଘଟଣା । ଆନୁଗତ୍ୟ ନେତା ଦଳର ନୀତି ଆଦର୍ଶକୁ ଛାଡି ଅନ୍ୟ ଦଳକୁ ଭୋଟ ଦେବନାହିଁ । କଂଗ୍ରେସ ସହିତ ଆମର ପ୍ରତିଦ୍ବନ୍ଦିତା ହେଉଛି । ଆଉ କଂଗ୍ରେସ ନେତାଙ୍କୁ ଭେଟିବା ବା ସମର୍ଥନ କରିବାକୁ ଅନୁରୋଧ କରିବା ଠିକ ହେବନାହିଁ । ସେଥିପାଇଁ ଏନଡିଏ ପ୍ରାର୍ଥୀ ସେଥିପାଇଁ କଂଗ୍ରେସ ନେତାଙ୍କୁ ଭେଟିନାହାନ୍ତି ।’’
ଇଟିଭି ଭାରତ, ଭୁବନେଶ୍ବର