ନୂଆଦିଲ୍ଲୀ: ଖଣିଜ ରୟାଲିଟି ସଂଶୋଧନ ପାଇଁ କେନ୍ଦ୍ର ନିକଟରେ ଓଡିଶାର ଦୀର୍ଘ ଦିନର ଦାବି ରହିଛି । ତେବେ ବୁଧବାର ଲୋକସଭାରେ ଏହି ବିଷୟ ଉଠାଇଛନ୍ତି ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ । ଗୃହରେ କୋଇଲା ରୟାଲିଟି ଦର ବୃଦ୍ଧି ପାଇଁ ଦାବି କରିଛନ୍ତି ଭର୍ତ୍ତୃହରି ।
ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ସମଗ୍ର ଦେଶରେ ବକ୍ସସାଇଟ, କ୍ରୋମାଇଟ, ଚୂନ ପଥର ସହିତ ପାଖାପାଖି ଅଧାରୁ ଅଧିକ ଲୁହାପଥର ଉତ୍ପାଦନ କରୁଥିବା ରାଜ୍ୟ ହେଉଛି ଓଡିଶା । ଖଣିଜ ଉତ୍ପାଦନ କ୍ଷେତ୍ରରେ ସାରା ଦେଶର ରାଜସ୍ବରେ ଓଡିଶାର ଏକ ସିଂହଭାଗ ଭୂମିକା ରହିଛି । ହେଲେ ଯେଉଁ ପରିମାଣରେ ରାଜସ୍ବ ଅର୍ଥ ରାଜ୍ୟକୁ ମିଳିବା କଥା ତାହା ମିଳୁନାହିଁ ବୋଲି ବିଜେଡି ସାଂସଦ କହିଛନ୍ତି ।
ଭର୍ତ୍ତୃହରି କହିଛନ୍ତି, ଖଣିଜ ଉତ୍ପାଦନରେ 3 ବର୍ଷରେ ଥରେ ରୟାଲିଟି ସଂଶୋଧନର ପ୍ରାବଧାନ ରହିଥିବା ବେଳେ ଶେଷ ଥର ପାଇଁ 5ବର୍ଷ ପୂର୍ବରୁ ସେପ୍ଟେମ୍ବର ପହିଲାରେ ଏହା ସଂଶୋଧିତ କରାଯାଇଥିଲା । ଅକ୍ସନ (ନିଲାମ) ପ୍ରକ୍ରିୟାରେ ଖଣି ନିଲାମ ଯୋଗୁଁ ଶିଳ୍ପଗୁଡିକୁ କଞ୍ଚାମାଲ ଯୋଗାଇବାରେ ଅସୁବିଧା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା । ତେବେ ଖଣିଜ ରୟାଲିଟି ବୃଦ୍ଧି କରିବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି ଭର୍ତ୍ତୃହରି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ