ଭୁବନେଶ୍ବର : ବିଜେପି ମୁଖପାତ୍ର ଲେଖାଶ୍ରୀଙ୍କୁ ଘେରିଲେ ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ନୟାଗଡ଼ ନାବାଳିକା ପରୀ ମାମଲାରେ ଲେଖାଶ୍ରୀ ଦେଇଥିବା ମନ୍ତବ୍ୟକୁ କଟାକ୍ଷ କଲେ ଇପ୍ସିତା । ଲେଖାଶ୍ରୀଙ୍କ ବକ୍ତବ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ତା ଠୁ ଅଧିକ ଯନ୍ତ୍ରଣାଦାୟକ । ପରୀ ଘଟଣା ଏକ ସ୍ପର୍ଶକାତରା ମାମଲା । ପରୀ ମାମଲା କେମିତି ବିଚାର କରାଯିବ ତାହା ଲେଖାଶ୍ରୀଙ୍କ ଠାରୁ ଶିଖିବାର ଆବଶ୍ୟକତା ନାହିଁ । ଲେଖାଶ୍ରୀଙ୍କ ଅନୁସାରେ ମାମଲା ପରିଚାଳନା ହେବନାହିଁ । ପ୍ରଶାସନ, ଏସଆଇଟି ପାଖରେ ଥିବା ପ୍ରମାଣ ଅନୁସାରେ ମାମଲା ପରିଚାଳନା କରାଯିବ । ବିଜେପି ଓ ଲେଖାଶ୍ରୀ ପରୀ ମାମଲାକୁ ବାଟବଣା କରିବା ଲାଗି ରୀତିମତ ପ୍ରୟାସ କରି ଆସୁଛନ୍ତି । ଅଭିଯୁକ୍ତକୁ ବଞ୍ଚାଇବା ଲାଗି ବ୍ୟକ୍ତିଗତ ଭାବେ ଚେଷ୍ଟା କରିଆସୁଛନ୍ତି । ଏସଆଇଟି ବିରୋଧରେ ଅସାମାଜିକ ଓ ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିଆସୁଛନ୍ତି । ଯାହା ଦୁଃଖଦାୟକ କଥା । ଓଡ଼ିଆ ଓ ଆମ ଭାଷାକୁ ନେଇ ଆମେ ବିଶ୍ବ ଦରବାରରେ ଗର୍ବ କରୁଛେ । ତାହାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛନ୍ତି ଲେଖାଶ୍ରୀ ।
ରାଜ୍ୟ ରାଜନୀତି ଏଭଳି ଭାଷାର ଅପବ୍ୟବହାର ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଲେଖାଶ୍ରୀ ଯେଉଁ ଭାଷାର ଅପବ୍ୟବହାର କରୁଛନ୍ତି। ତାହା ଓଡ଼ିଆ ସଂସ୍କୃତି ଓ ନୀତିର ପରିପନ୍ଥୀ । ଯଦି ବିଜେପି କିମ୍ବା ଲେଖାଶ୍ରୀଙ୍କ ପାଖରେ କିଛି ତଥ୍ୟ, ପ୍ରମାଣ ଅଛି । ତେବେ ଏସଆଇଟି ଓ କୋର୍ଟ ସମ୍ମୁଖରେ ଦାଖଲ କରନ୍ତୁ । ଏପରି ନକରି ଚିରାଚରିତ ଭାବେ ରାଜନୀତିକରଣ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ପରୀ ମାମଲାରେ ଚାର୍ଜସିଟ ଦାଖଲ ହୋଇସାରିଛି । ଏବେ ବି ସମୟ ଅଛି ଏସଆଇଟି ଓ କୋର୍ଟ ନିକଟରେ ପ୍ରମାଣ ଦାଖଲ କରନ୍ତୁ । ଏମିତି ମିଛ କହି ଓଡିଶାବାସୀଙ୍କୁ ଭ୍ରମିତ ନକରିବାକୁ ଲେଖାଶ୍ରୀଙ୍କୁ ପରାମର୍ଶ ଦେଲେ ଇପ୍ସିତା । ଲେଖାଶ୍ରୀ ଜଣେ ମହିଳା ତ ? ସେ ଜଣେ ମା ତ ? ପରୀକୁ ନ୍ୟାୟ ଦେବା ବଦଳରେ ତା ପ୍ରତି ଅନ୍ୟାୟ କରୁଛନ୍ତି । ଏଭଳି ସ୍ପର୍ଶକତାର ମାମଲାରେ ହୀନ ରାଜନୀତି କରୁଛନ୍ତି । କୁନ୍ଦୁଲି, ଟିକିରି ମାମଲାରେ ବି ବିଜେପି ରାଜନୀତିକରଣ କରିଥିଲା । ଟିକିରି ଘଟଣାରେ ବିଜେପି ଯାହାକୁ ଅଭିଯୁକ୍ତ କହୁଥିଲା । ତାଙ୍କୁ ଦଳକୁ ନେଇ ଟିକେଟ ଦେଇ ନିର୍ବାଚନ ଲଢ଼େଇଥିଲା ।
ବିଜେପିର ହୀନ ରାଜନୀତି ଫଳ ଦିର୍ଘ ବର୍ଷ ହେଲା ଭୋଗି ଆସୁଛି । ଆଗକୁ ମଧ୍ୟ ଓଡିଶାବାସୀ ଏହାର ଜବାବ ଦେବେ । ଅପଶବ୍ଦ ବ୍ୟବହାର ନକରିବାକୁ ଲେଖାଶ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଇପ୍ସିତା । ପରୀ ଘଟଣାକୁ ନେଇ ଆଜି (ଶୁକ୍ରବାର) ପୂର୍ବାହ୍ନରେ ସମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଅରୁଣ ସାହୁ ଏବଂ ଅରୁଣ ବୋଥ୍ରାଙ୍କୁ ଟାର୍ଗେଟ୍ କରିଥିଲେ ଲେଖାଶ୍ରୀ । ଅପରାଧୀକୁ ଖସାଇ ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଥିଲେ । ପରୀ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଚାରଧୀନ ଥିବାବେଳେ ଏହି ମାମଲାରେ ଏସଆଇଟି ଗିରଫ କରିଥିବା ଅଭିଯୁକ୍ତର ସ୍ବୀକାରୋକ୍ତି ଭିଡ଼ିଓ ଭାଇରାଲ ହୋଇଛି । ରାଜ୍ୟରେ କୋଟିଆ, ଧାନ ମଣ୍ଡି ପ୍ରସଙ୍ଗ ଏଡାଇବାକୁ SITକୁ ଲଗାଇ ଏହି ଭିଡିଓ ଭାଇରାଲ କରିଥିବା ଲେଖାଶ୍ରୀ ଅଭିଯୋଗ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ