ଭୁବନେଶ୍ୱର: ନିର୍ବାଚନ ପାଇଁ ଏବେ ଦିଲ୍ଲୀରୁ ପଲ୍ଲୀ ଚାଲିଛି ଆଲୋଚନା, ପର୍ଯ୍ୟାଲୋଚନା ଓ ବିଶ୍ଲେଷଣ । ପ୍ରଶାସନ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବାବେଳେ ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜ ରଣନୀତିରେ ବ୍ୟସ୍ତ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଗୋଟିଏ ଦଫା ଟିକେଟ ଘୋଷଣା କରିଥିବାବେଳେ ଆଜି ଦଳର ଇସ୍ତାହାର କମିଟିର ପ୍ରଥମ ବୈଠକ ବସିଥିଲା । ଇସ୍ତାହର କମିଟି ଉପାଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ 37 ଜଣ ସଦସ୍ୟ ଉପସ୍ଥିତ ଥିଲେ ।
ଦଳ ଇସ୍ତାହାର ପ୍ରସ୍ତୁତ ପାଇଁ ପୂର୍ବରୁ ରାଜନୈତିକ କାର୍ଯ୍ଯକ୍ରମ "ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ" ମାଧ୍ୟମରେ ମତ ସଂଗ୍ରହ କରିଛି । ଲୋକଙ୍କ ମତ ତଥା ଓଡିଶାର ସବୁ ବର୍ଗର ଲୋକଙ୍କ ମତ ଇସ୍ତାହାରରେ ସ୍ଥାନ ପାଇବ । କେଉଁ କେଉଁ ଯୋଜନାକୁ ଚାଲୁ ରଖାଯିବ କେଉଁ ଯୋଜନା କିଭଳି ହେବ ତାହା ମଧ୍ୟ ଏହି କମିଟି ବିଚାର ବିର୍ମଶ ଚଳାଇଛି । ଇସ୍ତାହାର କମିଟିର ବରିଷ୍ଠ ସଦସ୍ୟ ଅମର ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଯୁବ, ମହିଳା ଓ ଛାତ୍ର ଶାଖାର ସଦସ୍ୟମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ମତାମତ ଉପରେ ଆଲୋଚନା କରିଛନ୍ତି ।
ଏହାସହ ବିଜେଡି କହିଛି ଦଳ ଯାହା 2014ରେ ପ୍ରତିଶୃତି ଦେଇଥିଲା, ତାହା ପାଳନ କରିଛି ଏବଂ ଆଗାମୀ ଦିନରେ ଓଡିଶାର ବିକାଶ ପାଇଁ ଯାହା ଆବଶ୍ୟକ ତାହା ଇସ୍ତାହାରରେ ଘୋଷଣା କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।
ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ