ଭୁବନେଶ୍ବର: ଅଣ୍ଡା ମାଡକୁ ନେଇ ମୁହାଁମୁଁହି ବିଜେଡି-ବିଜେପି । ଅଣ୍ଡା ନ ଫିଙ୍ଗି ଗରିବଙ୍କୁ ବାଣ୍ଟି ଦିଅନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଥିବାବେଳେ ବିଜେପି କହିଛି, ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ପାଇଁ ଏପରି ପ୍ରୟାସ କରାଯାଉଛି ।
ରାଜ୍ୟରେ କିଛିଦିନ ହେବ ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକୁ ନେଇ ତାତୁଛି ରାଜନୀତି । ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ବସିଛନ୍ତି ବିରୋଧୀ । ଏଥିପାଇଁ ଶାସକ ଦଳର ନେତାଙ୍କୁ ଘେରୁଛନ୍ତି ବିଜେପି ଓ କଂଗ୍ରେସ । ସରକାରୀ କାର୍ଯ୍ୟରେ ଯାଉଥିବା କେତେକ ମନ୍ତ୍ରୀଙ୍କୁ ଅଣ୍ଡା ମାଡ ମଧ୍ୟ କରୁଛନ୍ତି । ଏହାକୁ ବିରୋଧ କରିଛନ୍ତି ଶାସକ ଦଳ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ । କିଛିଦିନ ତଳେ ନିଜ ସମ୍ପାଦକୀୟରେ ମନ୍ତ୍ରୀଙ୍କ ଇସ୍ତଫାକୁ ସମର୍ଥନ କରିଥିବା ବିଧାୟକ ସୌମ୍ୟ ପଟ୍ଟନାୟକ କିନ୍ତୁ ଅଣ୍ଡା ମାଡକୁ ନାପସନ୍ଦ କରିଛନ୍ତି ।
ତେବେ ଏହାର ଜବାବ ରଖିଛି ବିରୋଧୀ । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ସରକାରଙ୍କ ନିଦ ଭାଙ୍ଗିବା ପାଇଁ ଅଣ୍ଡା ମାଡ କରାଯାଉଛି । ଆଗକୁ ସମୟ ଆସିବ ଲୋକେ ଢେଲା ପଥର ମାରିବେ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ