ଭୁବନେଶ୍ବର: ହଜିଯାଇଛି କେନ୍ଦ୍ର ଅବହେଳା ନାରା । ଆଉ ଶୁଭୁନାହିଁ ସମ ଦୂରତାର ସ୍ବର । ସମର୍ଥନ ଓ ସହଯୋଗରେ ଚାଲିଛି ସରକାର । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର କ୍ଷେତ୍ରରେ ଏପରି ଦେଖାଦେଇଛି ।
ବିଶେଷକରି ଗତ 2019 ସାଧାରଣ ନିର୍ବାଚନ ପରଠାରୁ ଉଭୟ ଦଳର ସ୍ୱର ନରମ ରହିଛି । କେନ୍ଦ୍ରର ଅନେକ ବିଲକୁ ବିଜେଡିର ଆଖିବୁଝା ସମର୍ଥନ ଓ ରାଜ୍ୟରେ ବିଜେପିର ଅପେକ୍ଷାକୃତ ନରମ ସ୍ବର ଏହାକୁ ପ୍ରମାଣିତ କରୁଛି । ସ୍ଥିତି ଏପରି ହେଲାଣି ଯେ ବିଜେପି ବିରୋଧରେ ଗଣମାଧ୍ୟମର ମନ୍ତବ୍ୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି ବିଜେଡି ନେତା। ମାପିଚୁପି ମନ୍ତବ୍ୟ ରଖୁଛନ୍ତି। ବିଜେପି ସରକାର ବିରୋଧୀ ସ୍ବର କିଛିମାତ୍ରାରେ ବଜାୟ ରଖିଛି ହେଲେ ବିଜେଡି ନରମ ମନୋଭାବ ପୋଷଣ କରୁଛି। ଏପରିକି ସାମ୍ବାଦିକ ସମ୍ମିଳନୀରେ କେବଳ ହାତ ଲେଖା ଯାଇଥିବା କାଗଜ ପଢୁଛନ୍ତି ବିଜେଡି ମୁଖପାତ୍ର।
ସେପଟେ ରାଜ୍ୟସଭା କୋଟାରୁ ଏମସ ପରିଚାଳନା କମିଟି ସଦସ୍ୟ ହେବାଲାଗି ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ବଦଳରେ ବିଜେଡିର ଅମର ପଟ୍ଟନାୟକଙ୍କୁ ନିର୍ବାଚିତ କରିବା ବିଜେଡି-ବିଜେପି ମଧ୍ୟରେ ଅବୈଧ ସନ୍ଧିର ପ୍ରମାଣିତ କରୁଛି ବୋଲି କଂଗ୍ରେସ କହିଛି । ତେବେ ରାଜ୍ୟର ସଚେତନ ଭୋଟରମାନେ ସେମାନଙ୍କର ଏହି ଭିତିରି ସମ୍ପର୍କ ବିଷୟରେ ବୁଝିସାରିଲେଣି। ଠିକଣା ସମୟରେ ସେମାନେ ତାହାର ଜବାବ ଦେବେ ବୋଲି କଂଗ୍ରେସ ଆଶା ବାନ୍ଧିଛି ।
ସେହିପରି ଚିଟଫଣ୍ଡ ଦୁର୍ନୀତିରେ ସିବିଆଇର ଆଗଭଳି ତନାଘନା ଦେଖିବାକୁ ମିଳୁନି । ଏପଟେ ବର୍ତ୍ତମାନ ସୁଦ୍ଧା 4ଟି ଯୋଜନାକୁ କେନ୍ଦ୍ରୀୟ ଯୋଜନା ସହିତ ମିଶ୍ରଣ କରିସାରିଲେଣି ରାଜ୍ୟ ସରକାର। ଯାହା ରାଜ୍ୟସରକାରଙ୍କ କେନ୍ଦ୍ରପ୍ରତି ନରମ ଆଭିମୁଖ୍ୟର ପ୍ରମାଣିତ କରୁଛି । ତେବେ ବିଜେପି ରାଜ୍ୟର ସ୍ବାର୍ଥକୁ ପ୍ରାଧାନ୍ୟ ଦେଉଥିବା କହୁଥିବାବେଳେ ବିଜେଡି ଏବେ ସମଦୂରତା ମନ୍ତ୍ର ଜପିବା ଛାଡି ଗଠନମୂଳକ ସହଯୋଗକୁ ଅସ୍ତ୍ର କରିଛି ।
ଏସବୁ ଭିତରେ ରାଜ୍ୟର ବିଧାନ ପରିଷଦ ଓ 3ଟି ରାଜ୍ୟସଭା ସିଟ୍ ଖାଲି ପ୍ରସଙ୍ଗ ଆଗକୁ ଦୁଇ ଦଳର ସମ୍ପର୍କର ଗାଥା ଗାଇବ ବୋଲି କୁହାଯାଉଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ