ହାଇଦ୍ରାବାଦ: ବାସ୍, ଗୋଟିଏ ଶବ୍ଦ 'ଅହିଂସା' । ତାଙ୍କୁ ବର୍ଣ୍ଣନା କରିବା ପାଇଁ ଏହି ଗୋଟିଏ ଶବ୍ଦ ହିଁ ଯଥେଷ୍ଟ । ଆଜି ମଧ୍ୟ ଏ ଶବ୍ଦ କାନରେ ବାଜିଲେ ଯେ କେହିବି ଆଖି ବନ୍ଦକରି ସେହି ଚେହେରାକୁ ମନେ ପକାଇବ । ସେ ଚେହେରା ବାପୁଜୀଙ୍କର । ଶରୀରରେ ଶ୍ବେତ ବସନ, ହାତରେ ବାଡି, ଅଣ୍ଟାରେ ଘଣ୍ଟା ଆଉ ଗୋଲ୍ ଗୋଲ୍ ଚଷମା ଏତିକି ତାଙ୍କ ବହିଃର୍ଗତ ପରିଚୟ । ହେଲେ ଅନ୍ତରରେ ଥିବା ତାଙ୍କ ମହାନ୍ ଚିନ୍ତାଧାରା ଆଉ ନୀତି ଆଦର୍ଶ ପାଇଁ ସେ ଜନ ସମାଜରେ ସାଜିଥିଲେ ମହାତ୍ମା । ସତ୍ୟ, ଧର୍ମ, ଅହିଂସା, ନୀତି, ଆଦର୍ଶର ସେ ଥିଲେ ପ୍ରତୀକ । ଯେବେ ଯେବେ ସମାଜରେ କୁସଂସ୍କାର, ଅନ୍ଧ ବିଶ୍ବାସ, ଅନ୍ୟାୟ, ଅତ୍ୟାଚାର ବୃଦ୍ଧି ପାଏ ସେବେ ସେବେ ଧରା ପୃଷ୍ଠରେ ଜଣେ ଜଣେ ମହାପୁରୁଷଙ୍କର ଆବିର୍ଭାବ ଘଟେ । ସେହି ମହାପୁରୁଷମାନଙ୍କ ମଧ୍ୟରୁ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଅନ୍ୟତମ । ଆଜି ଏହି କିମ୍ବଦନ୍ତୀ ପୁରୁଷଙ୍କର ଜନ୍ମ ବାର୍ଷିକୀ ।
ଦେଶ ପାଳୁଛି ଗାନ୍ଧୀଜୀଙ୍କର ୧୫୨ତମ ଜନ୍ମ ଜୟନ୍ତୀ । ଗୁଜୁରାଟର ପୋର ବନ୍ଦରରେ ୧୮୬୯ ସମିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ବାପୁଜୀ । ବ୍ରିଟିଶ୍ କବଳରୁ ଭାରତକୁ ମୁକ୍ତି ଦେଇ ଶାନ୍ତି ସ୍ଥାପନା କରିବାରେ ମୁଖ୍ୟ ପୁରୋଧା ସାଜିଥିଲେ ସେ । ପାଠ ପଢିବା ପାଇଁ ଇଂଲଣ୍ଡ ଗସ୍ତ ସମୟରେ ପ୍ରଥମେ ଗାନ୍ଧୀଜୀ କଳା-ଗୋରା ଭେଦଭାବକୁ ନେଇ ସ୍ବର ଉଠାଇଥିଲେ । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ଗାନ୍ଧୀଜୀଙ୍କ ଅହିଂସା ଯାତ୍ରା । ବ୍ରିଟିଶ ସରକାରଙ୍କ ଅତ୍ୟାଚାରର ଦମନ ପାଇଁ ବାପୁ ଆପଣାଇଥିଲେ ଅହିଂସାର ମାର୍ଗ । ଦେଶର କୋଣ ଅନୁକୋଣ ବୁଲି ଗାନ୍ଧୀଜୀ ଦେଇଥିଲେ ସତ୍ୟାଗ୍ରହର ମନ୍ତ୍ର ।
ଏହି କ୍ରମରରେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ବାପୁ ପ୍ରଥମେ ୧୯୨୩ରେ ଓଡିଶା ଆସିଥିଲେ । କଟକ କାଠଯୋଡି ନଦୀର ଗଣେଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ ବାପୁଙ୍କୁ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ହିଁ ବାପୁଙ୍କ ବାଣୀକୁ ଗ୍ରହଣ କରି ବହୁ ଛାତ୍ର ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହାପରେ ବାପୁଜୀ ପୁରୀରେ ପହଞ୍ଚି ଥିଲେ । ସେଠାରେ ମଧ୍ୟ ବାପୁ ଅନେକଙ୍କୁ ଅହିଂସା ଆନ୍ଦୋଳନରେ ସାମିଲ କରିଥିଲେ ।
ପୁଣି ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନା ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମଦାବାଦ ସ୍ଥିତ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ ।
ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇବା ପାଇଁ ବାପୁଜୀ ଅନେକ ଆନ୍ଦୋଳନ କରିଥିଲେ । ଭାରତଛାଡ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ଭଳି ବହୁ ଆନ୍ଦୋଳନରେ ବାପୁଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ହଜାର ହଜାର ଭାରତୀୟ ଏଥିରେ ସାମିଲ ହୋଇଥିଲେ । 1942 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଭାରତରେ ବ୍ରିଟିଶ ଶାସନର ଅନ୍ତ ଘଟାଇବାକୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଡାକରା ଦିଆଯାଇଥିଲା । ଗାନ୍ଧୀଜୀଙ୍କ 'କର ବା ମର' ଡାକରାରେ ଏକଜୁଟ ହୋଇଥିଲା ସାରା ଭାରତ । ଶେଷରେ ବ୍ରିଟିଶ ସରକାର ଭାରତ ଛାଡିବାକୁ ବାଧ୍ୟ ହୋଇଥିଲେ । ସେ ଦେଶବାସୀଙ୍କୁ 'କୁଟି ଖାଅ, କାଟି ପିନ୍ଧ'ର ମନ୍ତ୍ର ଦେଇଥିଲେ । ବାପୁ କହୁଥିଲେ 'ସନ୍ତୋଷ ପ୍ରୟାସରେ ଅଛି, ପ୍ରାପ୍ତିରେ ନୁହେଁ । ପୂର୍ଣ୍ଣ ପ୍ରୟାସ ହିଁ ପୂର୍ଣ୍ଣ ବିଜୟ । ଦୁନିଆରେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହୁଁଛ, ପ୍ରଥମେ ସେହି ପରିବର୍ତ୍ତନ ନିଜ ମଧ୍ୟରେ ଆଣ । ଖଦି ମେରି ସାନ୍ ହେ, କର୍ମ ହି ମେରୀ ପୂଜା ହେ, ସଚ୍ଚା ମେରା କର୍ମ ହେ ଅର୍ ହିନ୍ଦୁସ୍ତାନ ମେରୀ ଜାନ୍ ହେ ।'
ବାପୁଙ୍କ ନୀତି, ଆଦର୍ଶକୁ ଦେଖି ରବୀନ୍ଦର ନାଥ ଟାଗୋର ତାଙ୍କୁ 'ମହାତ୍ମା' ଆଖ୍ୟା ଦେଇଥିଲେ । ସେହିପରି ରାଜକୁମାରୀ ଶୁକ୍ଳା ତାଙ୍କୁ ସର୍ବ ପ୍ରଥମେ 'ବାପୁ' ଡାକିଥିଲେ । ନେତାଜୀ ସୁବାସ ଚନ୍ଦ୍ର ବୋଷ ତାଙ୍କୁ ପ୍ରଥମେ 'ଜାତିର ପିତା' ଭାବେ ସମ୍ବୋଧିତ କରିଥିଲେ ।
ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ରେ ବ୍ରିଟିଶ ସରକାର ଦେଶରୁ ବିତାଡିତ ହେଲେ । ବାପୁଙ୍କ ସ୍ବାଧୀନ ଭାରତର ସ୍ବପ୍ନ ସାକାର ହେଲା । ହେଲେ ବାପୁ ଦେଖିଥିବା ଆଉ ଏକ ସ୍ବପ୍ନ ଆଜି ବି ଅଧାରେ ରହିଗଲା ପରେ ମନେ ହେଉଛି ।
ନାରୀ ଜାଗରଣ, ନିଶା ନିବାରଣ ବାପୁଜୀଙ୍କ ସ୍ବପ୍ନ ଥିଲା । ସେ ଚାହୁଁଥିଲେ ପରୋକ୍ଷରେ ହେଉ ଅବା ପ୍ରତ୍ୟେକ୍ଷରେ ସ୍ବାଧୀନ ଭାରତର ସରକାର ନିଶା କାରବାର କରିବେ ନାହିଁ । ସ୍ବାଧୀନ ଭାରତର ଆଇନ ଶୃଙ୍ଖଳା ପରିସ୍ଥିତି ଏତେ ସୁସଂହତ ହେବ ଯେ, ଜଣେ ଯୁବତୀ ନିଶାର୍ଦ୍ଧରେ ବି କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସିପାରିବ । ତେବେ ଏହି ମହାନ ଆତ୍ମାର ମହାନ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ବର୍ତ୍ତମାନର ଯୁବପିଢିଙ୍କୁ ଏକଜୁଟ୍ ହୋଇ ବାପୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କ ଜନ୍ମ ତିଥୀରେ ଏହି ସଂକଳ୍ପବଦ୍ଧ ହେବାକୁ ପଡିବ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ