ଭୁବନେଶ୍ବର : ସକାଳୁ ସଞ୍ଜ ଯାଏଁ କିଚିରିମିଚିରି ଶଦ୍ଦରେ ଫାଟିପଡେ ଘର ଅଗଣା । କେବଳ ଦେଶୀ ନୁହେଁ, ବିଦେଶୀ ପକ୍ଷୀଙ୍କ ପାଇଁ ରାଜକୁମାର ପାଲଟିଛନ୍ତି ରାଜଧାନୀର ନୃପେଶ । ପିଲାଟି ଦିନରୁ ପକ୍ଷୀଙ୍କ ପାଇଁ ଅହେତୁକ ଦୁର୍ବଳତା । କେଉଁଠି ଆହତ ପକ୍ଷୀଟିଏ ଦେଖିଲେ ସହିପାରନ୍ତିନି ଦୁଃଖ । ସେବା କରି ସୁସ୍ଥ କରିବାରେ ଲାଗିପଡନ୍ତି ସେ । ଲକ୍ଷ୍ୟ ପକ୍ଷୀ ପାର୍କ କରିବା । ଯେଉଁଠି ରହିବ ପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା, ପ୍ରଜନନର ବି ବ୍ୟବସ୍ଥା ।
40 ପ୍ରଜାତିର ଦେଶୀ ବିଦେଶୀ ବିରଳ ପକ୍ଷୀଙ୍କ ସେବା କରୁଛନ୍ତି ଏହି ପକ୍ଷୀପ୍ରେମୀ । ତାଙ୍କ ଖାଇବା, ପିଇବା ଠାରୁ ଆରମ୍ଭ କରି ପ୍ରତିମାସରେ ହେଲଥ ଚେକ ଅପ ପର୍ଯ୍ୟନ୍ତ ସବୁ କରୁଛନ୍ତି ସେ । ପିଲାବେଳୁ ପକ୍ଷୀ ସଂଗ୍ରହ କରୁଥିଲେ ଆଉ ଯାହା ଏବେ ପକ୍ଷୀଙ୍କ ସେବା ନିଶାରେ ପାଲଟି ଯାଇଛି ବୋଲି କହନ୍ତି ନୃପେଶଙ୍କ ମାଆ । କେବଳ ପକ୍ଷୀସେବା ନୁହେଁ ସେ ଭୁବନେଶ୍ୱରର ନନ୍ଦନକାନନ ଚିଡ଼ିଆଖାନକୁ ମାଗଣାରେ ଦେଇଛନ୍ତି ଅନେକ ପକ୍ଷୀ । ଅନ୍ୟପଟେ ବହୁ ଥର ଗ୍ରୀନ ଇଣ୍ଡିଆ ପକ୍ଷୀପ୍ରେମୀ ଭାବରେ ରାଜ୍ୟ ତଥା ରାଜ୍ୟ ବାହାରେ ବି ପୃରସ୍କୃତ ହୋଇଛନ୍ତି ନୃପେଶ ।
ଯଦି କିଛି ସରକାରୀ ସହାୟତା ମିଳନ୍ତା ସେ ନିଜର କିଛି ଅର୍ଥକୁ ମିଶାଇ ଓଡ଼ିଶାରରେ ଏକ ପକ୍ଷୀ ପାର୍କ କରିବାରେ ସକ୍ଷମ ହୁଏନ୍ତେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ