ଭୁବନେଶ୍ବର: ରାଜଧାନୀରେ ପୁଣିଥରେ ବାର୍ଡଫ୍ଲୁ ଆତଙ୍କ । ଗତ କିଛିଦିନ ଧରି ଲଗାତାର କୁକୁଡା ମଡକ ହୋଇଥିଲା ଭୁବନେଶ୍ବରର ଓୟୁଏଟି ଫାର୍ମରେ । ଫଳରେ ଏହା ଦେଖି କର୍ତ୍ତୃପକ୍ଷ ସନ୍ଦେହରେ ରକ୍ତ ନମୂନା ସଂଗ୍ରହ କରି ଭୋପାଳ ସ୍ଥିତ ଜାତୀୟ ପରୀକ୍ଷାଗାରକୁ ପଠାଇଯାଇଥିଲା । ସେଠାରୁ ଯେଉଁ ରିପୋର୍ଟ ଆସିଥିଲା ସେଥିରେ କର୍ତ୍ତୃପକ୍ଷଙ୍କ ହୋସ ଉଡିଗଲା ।
ରିପୋର୍ଟ ଆସିଲା ବାର୍ଡଫ୍ଲୁ । ଭୋପାଳ ଯାଇଥିବା ନମୂନାରୁ ଚିହ୍ନଟ ହେଲା ବାର୍ଡ ଫ୍ଲୁ। ଏହାପରେ କର୍ତ୍ତୃପକ୍ଷ ଗୁପ୍ତ ଭାବେ ଆରମ୍ଭ କଲେ ତନାଘନା । କୁକୁଡା ମାରିବା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । କିନ୍ତୁ ଏହି ଖବର ଯଥା ସମ୍ଭବ ଗୁପ୍ତ ରଖିବା ପାଇଁ ପ୍ରୟାସ ଚାଲିଥିଲା । ହେଲେ ସୋମବାର ଅପରାହ୍ନରେ ଇଟିଭି ଭାରତରେ ପ୍ରଥମେ ଏକ୍ସକ୍ଲୁସିଭ ଖବର ପ୍ରସାରଣ ହୋଇଥିଲା । ଏହାପରେ ଘଟଣା ଲୁଚାଇବାକୁ କୌଣସି ବାଟ ନଥିଲା କର୍ତ୍ତୃପକ୍ଷଙ୍କ ନିକଟରେ । ଯଦିଓ ସେତେବେଳେ ଘଟଣାକୁ ସ୍ବୀକାର କରୁନଥିଲେ କିନ୍ତୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କଲେ ।
ରାଜ୍ୟ ସରକାର ତୁରନ୍ତ ଘଟଣାକୁ ନେଇ ତନାଘନା ଆରମ୍ଭ କରିବା ସହ କୁକୁଡା ମାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମା ଅନୁସାରେ ଓୟୁଏଟିର 1 କିମି ପରିଧି ମଧ୍ୟରେ ମଙ୍ଗଳବାର ଠାରୁ ସମସ୍ତ କୁକୁଡା ମରାଯିବ । ଏନେଇ ଚିଠି ଲେଖିଛି ପଶୁ ସମ୍ପଦ ବିଭାଗ । କେନ୍ଦ୍ର ସରକାରଙ୍କ ଗଇଡ ଲାଇନ୍ସ ଅନୁସାରେ ଏହି କାର୍ଯ୍ୟ ଆରମ୍ଭ ହେବ । H-5 N1 ଭୂତାଣୁ ପ୍ରମାଣ ମିଳିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ମାନଦଣ୍ଡ ଅନୁସାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନନ୍ଦନକାନନ ପକ୍ଷୀ ବିହାର ବନ୍ଦ ରହିବ ।
ତେବେ ଏହି ବାର୍ଡୁ ଫ୍ଲୁ ରାଜଧାନୀରେ ସୀମିତ ରହୁଛି ନା ଅନ୍ୟ ଜିଲ୍ଲାକୁ ବ୍ୟାପୁଛି ତାଉପରେ ନଜର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତାପସ ପରିଡା, ଇଟିଭି ଭାରତ