ଭୁବନେଶ୍ବର: ଦେଶ ଅଗ୍ରଗତିରେ ବିକାଶ ପଥରେ ଆଗେଇ ଚାଲିଥିବା ବେଳେ ଦ୍ରୁତ ଗତିରେ ଲୋପ ପାଇବାରେ ଲାଗିଛି ବନ୍ୟ ଜନ୍ତୁ ଓ ଜଙ୍ଗଲ ସଂଖ୍ୟା । ଯାହାର ପ୍ରଭାବରେ ସୃଷ୍ଟି ହେବାରେ ଲାଗିଛି ଅସ୍ବାସ୍ଥ୍ୟକର ପରିବେଶ । ଏନେଇ ସମାଜକୁ ସଚେତନ କରିବା ସହ ଜଙ୍ଗଲ ଓ ବନ୍ୟଜନ୍ତୁ ମୁଖ୍ୟତଃ ବାଘଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ପଶ୍ଚିମବଙ୍ଗର ଏକ ସମାଜସେବୀ ଦମ୍ପତି । ବାଇକରେ 28ଟି ରାଜ୍ୟ ଓ 5ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲି ରଚିନ୍ଦ୍ରନାଥ ଦାସ ଓ ଗୀତାଞ୍ଜଳୀ ଦାସ ବାଣ୍ଟୁଛନ୍ତି ସଚେତନତା ବାର୍ତ୍ତା ।
ଗତ ଫେବୃଆରୀ 15ରୁ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରିଥିଲେ ଉଭୟେ । ରାଜ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ଜୀବନରେ ବନ୍ୟ ଜନ୍ତୁ ଓ ଜଙ୍ଗଲର ଅସ୍ତିତ୍ବ ବୁଝାଇବା ସହ ସେମାନଙ୍କୁ ପରିବେଶ ରକ୍ଷା କରିବା ପାଇଁ ସଚେତନ କରାଇଥିଲେ । ଏପର୍ଯ୍ୟନ୍ତ 28ଟି ରାଜ୍ୟ ଓ 5ଟି କେନ୍ଦ୍ରଶାସିତ ଅଞ୍ଚଳ ବୁଲି ଲୋକଙ୍କ ସଚେତନ କରିସାରିଲେଣି ଉଭୟେ । ଲକ୍ଷ୍ୟ, ଆଗାମୀ ଦିନରେ 13ଟି ଦେଶ ବୁଲି ଲୋକଙ୍କୁ ପରିବେଶ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ସଚେତନ କରାଇବେ ।
ବୁଧବାର ଭୁବନେଶ୍ବରରେ ପହଞ୍ଚି ସେମାନେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ଗୁରୁବାର ସେମାନେ ଝାଡଖଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ଏହାପରେ ଝାଡଖଣ୍ଡରୁ ପଶ୍ଚିମବଙ୍ଗ ଫେରି ଯାତ୍ରା ସାମପ୍ତ କରିବାର ଯୋଜନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟେ 36 ହଜାର କିଲୋମିଟର ଯାତ୍ରା କରି 45ରୁ ଊର୍ଦ୍ଧ୍ବ ଅଭୟାରଣ୍ୟ ବୁଲି ସାରିଛନ୍ତି । ଏଥିସହ ଆଗକୁ ଏହି ଯାତ୍ରା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଏହି ସମାଜସେବୀ ଦମ୍ପତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ