ଭୁବନେଶ୍ବର: ବୀର ବିକ୍ରମ ଯାଦବଙ୍କ ଜରିଆରେ ବିଜେଡି ଦଳୀୟ ପାଣ୍ଠି ସଂଗ୍ରହ କରିବ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ଅଭିଯୋଗ କରିଛନ୍ତି ବୀର ବିକ୍ରମ ଯାଦବ ବିଜେଡିର ଦଳୀୟ ପାଣ୍ଠି ସଂଗ୍ରହ କରିବେ । ବିଜେଡି ସରକାର 2024 ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ବୀର ବିକ୍ରମ ଯାଦବ ଯୋଗାଣ ବିଭାଗ ସଚିବ ଥିବା ସମୟରେ ଚାଷୀ ମାନେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି କରିପାରିଲେ ନାହିଁ । ଓଡିଶା ସରକାର 2 ଲକ୍ଷ ଚାଷୀଙ୍କୁ ଟୋକନ ଦେଇଥିଲେ । କିନ୍ତୁ ସେମାନେ 1940 ଟଙ୍କାରେ ଧାନ ବିକ୍ରି କରିପାରିଲେ ନାହିଁ । ବୀର ବିକ୍ରମ ଯାଦବ ମିଲରଙ୍କ ସହ ଅସାଧୁ ମେଣ୍ଟ କରିଥିଲେ । ଚାଷୀ ମାନଙ୍କ ଟଙ୍କା ଲୁଟ କରି ବିଜେଡି ଦଳୀୟ ପାଣ୍ଠିକୁ 500 କୋଟି ଟଙ୍କାର ଚାନ୍ଦା ଦେବାରେ ସଫଳ ହେଲେ ବୀର ବିକ୍ରମ ଯାଦବ ବୋଲି କହିଛନ୍ତି ପ୍ରଦୀପ ।
ସେଥିପାଇଁ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗ ସଚିବ ଭାବେ ଦାୟିତ୍ବ ଦେଇ ପ୍ରୋମୋସନ ଦେଇଛନ୍ତି ରାଜ୍ୟ ସରକାର । ମିଲର ମାନଙ୍କ ସହ ମଧୁଚନ୍ଦ୍ରିକା ପରେ ପୂର୍ତ୍ତ ବିଭାଗରେ ହଜାର ହଜାର କୋଟି ଟଙ୍କା ଲୁଟର କାରବାର ହେବ । ଠିକାଦାର ମାନଙ୍କ ସହ ମଧୁଚନ୍ଦ୍ରିକା କରି ବିଜେଡିର ଦଳୀୟ ପାଣ୍ଠିକୁ ବଢାଇବା ପାଇଁ ତାଙ୍କର ପ୍ରମୁଖ ଭୂମିକା ରହିବ । ଏହାସହ ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବୀର ବିକ୍ରମ ଯାଦବଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ସୁପ୍ରିମକୋର୍ଟର ଗାଇଡଲାଇନ ଅଛି ଯେ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସକ ଭାବେ ନିଯୁକ୍ତି ଦିଆଯିବ । କିନ୍ତୁ ପୁଣି ଥରେ 6 ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବର ଥିବା ବୀର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
ଶ୍ରୀମନ୍ଦିର ବିକାଶ ପାଇଁ ମଧ୍ୟ 13 ଶହ କୋଟି ଟଙ୍କାର ଅନୁଦାନ ଆସିଛି । ଏହି ଟଙ୍କାରୁ ମଧ୍ୟ ବୀର ବିକ୍ରମ ଯାଦବ ବିଜେଡିର ଦଳୀୟ ପାଣ୍ଠି ସଂଗ୍ରହ କରିବେ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଓଡିଶାରେ ଥିବା ସଚ୍ଚୋଟ ଅଧିକାରୀ ମାନଙ୍କୁ ରାଜ୍ୟ ସରକାର ତିରସ୍କାର କରୁଥିବା ବେଳେ ଯେଉଁମାନେ ଚାଷୀଙ୍କୁ ଲୁଟ କରିବାରେ ଏବଂ କୋଟି କୋଟି ଟଙ୍କା ଲୁଟ କରି ବିଜେଡିର ଦଳୀୟ ପାଣ୍ଠି ସଂଗ୍ରହ କରିବାରେ ସିଦ୍ଧହସ୍ତ ସେଭଳି ଅଧିକାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ