ଭୁବନେଶ୍ବର: ବିଜେପୁର ବିଜୟର ବିନ୍ଧାଣୀଙ୍କୁ ମିଳିବ ପୁରସ୍କାର । ବିଜେପୁର ଉପନିର୍ବାଚନ ଦାୟିତ୍ବରେ ଥିବା ନେତାଙ୍କ କାର୍ଯ୍ୟରେ ଖୁସି ହୋଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁବଶୀଘ୍ର ଉପହାର ପ୍ରଦାନ କରିପାରନ୍ତି ବୋଲି ସୂଚନା ମିଳିଛି । ଏପରିକି ରେକର୍ଡ ସଂଖ୍ୟକ ଭୋଟରେ ଜିତିଥିବା ରୀତା ସାହୁଙ୍କୁ ନବୀନ ତାଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି । ଗତ ସାଧାରଣ ନିର୍ବାଚନର ପରାଜୟ ପରେ ଅଲୋଡା ହୋଇ ବସିଥିବା ତିନି ନେତାଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରାଯିବା ନେଇ ସୂଚନା ମିଳିଛି ।
ଅନ୍ୟପଟେ ବିରୋଧୀ ହାରିବାର କାରଣ ଖୋଜୁଛନ୍ତି । ଗତ ଦେଢବର୍ଷ ମଧ୍ୟରେ ବିଜେପୁର ଉପନିର୍ବାଚନ ଓ ସାଧାରଣ ନିର୍ବାଚନରେ ବିଜେଡି ହାତକୁ ତୃତୀୟଥର ପାଇଁ ଆସିଛି ବିଜେପୁର ବିଧାନସଭା ଆସନ । ଖାଲି ସେତିକି ନୁହେଁ ପ୍ରତିଥର ବିଜୟର ବ୍ୟବଧାନ ମଧ୍ୟ ଅଧିକ ରହିଛି ।
ସୂଚନାଯୋଗ୍ୟ, ପୂର୍ବତନ ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଭିନ୍ନ ଦଳୀୟ କିମ୍ବା ସରକାରୀ ପଦପଦବୀରେ ଥଇଥାନ କରିବେ । ତେବେ ସଞ୍ଜୟ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସ୍ନେହାଙ୍ଗିନୀଙ୍କୁ ଦଳର ମହିଳା ମୋର୍ଚ୍ଚାର କମାଣ୍ଡ ମିଳିପାରେ । ସେହିପରି କଳିକେଶଙ୍କୁ ରାଜ୍ୟସଭା କିମ୍ବା କୌଣସି ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଦାୟିତ୍ବ ଦେଇପାରନ୍ତି ନବୀନ ।
ଅନ୍ୟପଟେ ବିଜେପୁରରେ ପରାଜୟ ପରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଆତ୍ମସମୀକ୍ଷା । ବିଜେପୁରରେ ଲୋକଙ୍କୁ ଡରାଇ ଧମକାଇ ବିଜେଡି ଭୋଟ ନେଇଛି ଓ ପୋଲିସ ମଧ୍ୟ ଲୋକଙ୍କୁ ଭୟଭୀତ କରାଇ ବିଜେଡି ପାଇଁ ଭୋଟ ଯୋଗାଡ କରିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର । ସେପଟେ କଂଗ୍ରେସ କହିଛି ଏହାସହ ବିଜେଡି ସହ ଟକ୍କର ଦେବା ଭଳି ଅର୍ଥ ବଳ କିମ୍ବା ବାହୁବଳ ମଧ୍ୟ ଆମର ନଥିଲା । ପ୍ରାର୍ଥୀ ଭଲ ଥାଇ ବି ଆମେ ହାରିଲୁ ବୋଲି ତାରାପ୍ରସାଦ ବାହିନୀପତି କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ