ଭୁବନେଶ୍ବର: ବହୁପ୍ରତିକ୍ଷିତ ବିଜେପୁର ଉପ-ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବାଜିମାତ୍ କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସନତ ଗଡତିଆଙ୍କ ଠାରୁ 97 ହଜାର 990 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ରୀତା ବିଜୟୀ ହେବା ପରେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ନିଜ ନିଜର ପରାଜୟ ସ୍ବୀକାର କରିଛନ୍ତି ।
ବିଜେପି ପରାଜୟ ସ୍ବୀକାର କରିବା ସହ ପରାଜୟର କାରଣ ତର୍ଜମା କରାଯିବ ବୋଲି କହିଛି । ଏଥିସହିତ ବିଜେପୁରରେ ବିଜେପି, ବିଜେଡି ସହିତ ଲଢୁ ନଥିଲା ବରଂ ସରକାର ବିରୋଧରେ ଲଢୁଥିଲା ବୋଲି ବିଜେପି କହିଛି ।
ସେହିପରି କଂଗ୍ରେସ ମଧ୍ୟ ପରାଜୟକୁ ସ୍ବୀକାର କରିବା ସହ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛି । ସାଂଗଠନିକ ଦୁର୍ବଳତା,ସରକାରୀ ଦଳ ବିରୋଧରେ ଜନମତ ସୃଷ୍ଟି କରିବାରେ ବିଫଳତା, ତୃଣମୂଳ ସ୍ତରରେ ଦଲର କର୍ମୀଙ୍କୁ ଏକାଠି କରିବାରେ ଦଳ ଫେଲ ମାରିବାରୁ ବିଜେପୁରରେ ଦଳର ଏପରି ସ୍ଥିତି ହେଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ସୂଚନା ଥାଉକି, ଉପ ନିର୍ବାଚନରେ ବିଜେଡିର ରୀତା ସାହୁ 1,35,957 ଭୋଟ ପାଇଥିବାବେଳେ ବିଜେପିର ସନତ ଗଡତିଆ 37 ହଜାର 967 ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା 5 ହଜାର 873 ଭୋଟ ପାଇଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ