ଭୁବନେଶ୍ବର: ରାଜଧାନୀ ସହର ମଧ୍ୟରେ ଥିବା ରେଲୱେ ଟ୍ରାକ ସାଜିଛି ମୃତ୍ୟୁର ଦ୍ବାର ! ରାତି ପାହିଲେ ଆସୁଛି ମୃତ୍ୟୁର ଖବର । ଅଧିକାଂଶ ସମୟରେ ରେଲୱେ ଟ୍ରାକରେ ଗଡୁଛି ମଣିଷ ମୁଣ୍ଡ ! ସହର ମଧ୍ୟରେ ଥିବା ଷ୍ଟେସନର ଆଖାପାଖ ଅଞ୍ଚଳରେ ଦୁର୍ଘଟଣା ଓ ଆତ୍ମହତ୍ୟା ପାଇଁ ଯାଉଛି ଅନେକ ଜୀବନ । ସହର ମଧ୍ୟରେ ଯାଇଥିବା ଅନେକ ରେଳ ଷ୍ଟେସନରେ ଦେଖିବାକୁ ମିଳୁଛି ଏଭଳି ଘଟଣା, ଯାହା ଏବେ ସାଜିଛି ଏକ ଚିନ୍ତାଜନକ ବିଷୟ ।
ସହରରେ ଥିବା ଷ୍ଟେସନ ମଧ୍ୟରୁ ବିଶେଷ କରି ସହୀଦନଗର ଓଭରବ୍ରିଜ, ଲିଙ୍ଗରାଜ ଷ୍ଟେସନ, ପୁନମା ଗେଟ୍, ପଟିଆ ଷ୍ଟେସନରୁ ଆସୁଛି ଅଧିକ ମୃତ୍ୟୁ ଖବର । ସଟକଟ ପାଇଁ ରେଲୱେ ଟ୍ରାକରେ ଅତିକ୍ରମ ଓ ଟ୍ରାକ କଡରେ ଜବରଦଖଲ ଜନବସତି ଏହାର ମୁଖ୍ୟ କାରଣ ବୋଲି କହିଛି ପ୍ରଶାସନ । ତେବେ ସରକାରୀ ତଥ୍ୟ କହୁଛି 2018 ମସିହାରେ ଯାଇଛି ମୋଟ 94ଜଣଙ୍କ ଜୀବନ । ସେଥିମଧ୍ୟରୁ ଦୁର୍ଘଟଣାରେ 20, ଆତ୍ମହତ୍ୟା ଯୋଗୁଁ 26 ଓ ଅନ୍ୟାନ୍ୟ କାରଣରୁ 58 ଜଣ ପ୍ରାଣ ହରାଇଛନ୍ତି ।
ସେହିପରି 2019 ମସିହାରେ ମୋଟ 101 ଜୀବନ ଯାଇଥିବା ବେଳେ ଦୁର୍ଘଟଣାରେ 23, ଆତ୍ମହତ୍ୟା ଯୋଗୁଁ 40 ଓ ଅନ୍ୟାନ୍ୟ କାରଣରୁ 48ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି 2020 ମସିହାରେ ଲକଡାଉନ ଯୋଗୁଁ ହ୍ରାସ ପାଇଥିଲା ଡେଥରେଟ । ଗତବର୍ଷ ଯାଇଥିଲା ମୋଟ 51 ଜଣଙ୍କ ଜୀବନ । ଏହି 51 ଜଣଙ୍କ ମଧ୍ୟରୁ ଦୁର୍ଘଟଣାବଶତଃ ୧୮ ଜୀବନ, ଆତ୍ମହତ୍ୟାରେ ୧୩ ଜଣ ଏବଂ ଅନ୍ୟାନ୍ୟ କାରଣରୁ ଯାଇଥିଲା ୨୧ ଜୀବନ।
ଏହି ମୃତଦେହଗୁଡିକ ଟ୍ରାକରେ ପଡିରହିଥିବା ବେଳେ ଅନେକ ସମୟରେ ଏ ସମ୍ପର୍କରେ ଜିଆରପିକୁ ଖବର ଦେଇଥାନ୍ତି ଟ୍ରାକ୍ ମ୍ୟାନ ଓ ଟ୍ରେନର ଲୋକ ପାଇଲଟ । କେବେ କେବେ ଟ୍ରେନ ଡ୍ରାଇଭର ମଧ୍ୟ ଟ୍ରେନ ଅଟକାଇ ଟ୍ରାକରେ ପଡି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଲୋକଙ୍କୁ ଉଦ୍ଧାର କରିଥାନ୍ତି । ୨୦୨୦ର ଆଦିତ୍ୟ ଦାସ ମୃତ୍ୟ ଘଟଣା ହେଉ ବା ପୁନମା ଗେଟରେ ସାଇକେଲ ଆରୋହୀ ଜଣେ ବୃଦ୍ଧଙ୍କ ମୃତ୍ୟ ଘଟଣା । ରେଲଓ୍ବେ ଟ୍ରାକରେ ମୃତଦେହ ଏବେ ଚିନ୍ତା ଜନକ ହୋଇଛି । ଏସବୁ ରୋକିବା ସମସ୍ତଙ୍କ ପାଇ ଏକ ଚ୍ୟାଲେଞ୍ଜ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ